ବେକାର ଯୁବକଙ୍କୁ ଫସାଉଛନ୍ତି ସ୍କାମର, ‘ପ୍ରେଗନାନ୍ସି ଜବ୍‌’ରୁ ପୁରସ୍କାର ଲୋଭ ଦେଖାଇ ଲୁଟୁଛନ୍ତି ଲକ୍ଷାଧିକ ଟଙ୍କା

ନୂଆଦିଲ୍ଲୀ: ଆଜିକାଲି ଅନଲାଇନ୍ ଯୁଗ । ଦିନକୁ ଦିନ ସାଇବର ଠକେଇ ଭଳି ମାମଲା ସାଧାରଣ ଜନତାଙ୍କ ସହ ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଲାଣି । ପୋଲିସକୁ ଚକମା ଦେବା ପାଇଁ ସାଇବର ଠକ ମଧ୍ୟ ନୂଆ ନୂଆ ଉପାୟରେ ଲୋକଙ୍କୁ ଟାର୍ଗେଟ କରୁଛନ୍ତି । ବିଶେଷ କରି ଯୁବକ ଏଭଳି ସ୍କାମର ଅଧିକ ଶିକାର ହେଉଛନ୍ତି । ବିଭିନ୍ନ ପୁରସ୍କାର ଲୋଭ ଦେଖାଇ ଯୁବକଙ୍କୁ ନିଜ ଜାଲରେ ଫସାଉଛନ୍ତି ଏହି ଠକ ।

ଆଜିକାଲି ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ଠକେଇ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏଥିମଧ୍ୟରେ ଏକ ନୂତନ ଏବଂ ଚିନ୍ତାଜନକ ଠକେଇ ବିଷୟରେ ଜଣାପଡ଼ିଛି । ଏଥିରେ ଅପରାଧି ଜଣଙ୍କ ଫେସବୁକରେ ଏକ ଫେକ୍ କ୍ଲାଇଣ୍ଟକୁ ଗର୍ଭବତୀ କରିବା ବଦଳରେ ପୁରୁଷଙ୍କୁ ବିପୁଳ ଅର୍ଥ ଓ ପୁରସ୍କାର ଦେବା ପାଇଁ ପ୍ରତିଶ୍ରୁତି ଦେଉଛି । ଏହି ସ୍କାମର ନାଁ ହେଉଛି ‘ପ୍ରେଗନାନ୍ସି ଜବ୍‌’ । ଏଭଳି ଠକାମିରେ ସ୍କାମର ବିଶେଷକରି ବେକାର ଏବଂ ଗ୍ରାମୀଣ ଯୁବକଙ୍କୁ ଟାର୍ଗେଟ କରିଥାନ୍ତି । ଏହି ସ୍କାମ ଅନ୍ତର୍ଗତ ସ୍କାମର ଜଣଙ୍କ ସୋସିଆଲ ମିଡିଆରେ ଆକର୍ଷକ ମହିଳାଙ୍କ ଫଟୋ ଏବଂ ଭିଡିଓ ପୋଷ୍ଟ କରିଥାନ୍ତି । ଏହା ଦ୍ୱାରା ସେମାନେ ଦାବି କରିଥାନ୍ତି କି ଯିଏ ବି ୩ ମାସ ଭିତରେ ଉକ୍ତ ମହିଳାଙ୍କୁ ଗର୍ଭବତୀ କରାଇବ ସେମାନଙ୍କୁ ୨୦ ଲକ୍ଷ ଟଙ୍କା, ସମ୍ପତ୍ତି ସହ ଏକ କାର ଉପହାର ସ୍ୱରୂପ ଦିଆଯିବ । ଏଭଳି ମିଥ୍ୟ ପ୍ରତିଶ୍ରୁତି ଦେଇ ସ୍କାମର ନିରୀହ ଯୁବକଙ୍କୁ ଫସାଇଥାନ୍ତି । ତେବେ ଏଥିପାଇଁ ରେଜିଷ୍ଟ୍ରେସନ୍ ଫି କିମ୍ବା ‘ପ୍ରୋସେସିଂ ଫି’ ନାଁ ରେ ସେମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଲୁଟିଥାନ୍ତି । ସେମାନଙ୍କ ଠାରୁ ଟଙ୍କା ମଳିବା ପରେ ଯୋଗାଯୋଗ ବିଛିନ୍ନ କରିଥାନ୍ତି । ଅପରପକ୍ଷରେ ପୀଡ଼ିତ ବ୍ୟକ୍ତି ମଧ୍ୟ ଏଭଳି ଠକେଇ ବିଷୟରେ ଅଭିଯୋଗ କରିବାକୁ ଡରିଥାନ୍ତି ଏବଂ ଲଜ୍ଜିତ ଅନୁଭବ କରିଥାନ୍ତି ।