କ୍ରୀଡ଼ା କ୍ଷେତ୍ରରେ ସ୍ୱର୍ଣ୍ଣିମ ମୁହୂର୍ତ୍ତ: ପ୍ରଥମ ଥର ଜାତୀୟ ସିନିୟର ପୁରୁଷ ହକିରେ ଚାମ୍ପିୟନ ହେଲା ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜାତୀୟ ସ୍ତରରେ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶା ଇତିହାସ ରଚିଛି । ପ୍ରଥମ ଥର ଜାତୀୟ ସିନିୟର ପୁରୁଷ ହକିରେ ଓଡ଼ିଶା ଚାମ୍ପିୟନ ହୋଇଛି । ଏହା ରାଜ୍ୟର ହକି ପାଇଁ ଏକ ଗୌରବମୟ ମୁହୂର୍ତ୍ତ । ଆଜି ଖେଳାଯାଇଥିବା ଫାଇନାଲରେ ଓଡ଼ିଶା ପ୍ରତିପକ୍ଷ ହରିୟାଣାକୁ ୫-୧ ଗୋଲ ବ୍ୟବଧାନରେ ପରାସ୍ତ କରି ଏହି ସଫଳତା ହାସଲ କରିଛି । ଏହା ପୂର୍ବରୁ ଉତ୍ତରପ୍ରଦେଶକୁ ହରାଇ ହରିୟାଣା ଫାଇନାଲରେ ପ୍ରବେଶ କରିଥିବା ବେଳେ ମଣିପୁରକୁ ହରାଇ ଓଡ଼ିଶା ଫାଇନାଲରେ ପ୍ରବେଶ କରିଥିଲା ।

ଚେନ୍ନାଇର ମେୟର ରାଧାକ୍ରିଷ୍ଣନ ଷ୍ଟାଡିୟମରେ ଆଜି ଫାଇନାଲ ମ୍ୟାଚ ଖେଳାଯାଇଥିଲା । ତାମିଲନାଡ଼ୁ ଡେପୁଟୀ ସିଏମ୍ ଉଦୟନିଧି ଷ୍ଟାଲିନ ବିଜୟୀ ଓଡ଼ିଶା ଟିମକୁ ଟ୍ରଫି ପ୍ରଦାନ କରିଥିଲେ । ଏହି ଟ୍ରଫି ପ୍ରଦାନ ଅବସରରେ ହକି ଇଣ୍ଡିଆର ସଭାପତି ତଥା ଓଡ଼ିଶାର ହକି କିମ୍ବଦନ୍ତୀ ଦିଲୀପ ତିର୍କୀ ଉପସ୍ଥିତ ରହିଥିଲେ । ସୂଚନାଯୋଗ୍ୟ ଯ, ଜାତୀୟ ହକିରେ ଓଡ଼ିଶା ଟିମ୍ ଚାମ୍ପିୟନ ହେବା ପରେ ଚାରିଆଡ଼ୁ ଅଭିନନ୍ଦନର ସୁଅ ଛୁଟିଛି । ଗତ କିଛିବର୍ଷ ଧରି ଓଡ଼ିଶା ଜାତୀୟ ହକିର ଏନ୍ତୁଡ଼ିଶାଳ ଭାବେ ପରିଚିତ ହୋଇପାରିଛି । ରାଜ୍ୟରେ ହକି ଖେଳ ଓ ଖେଳାଳିଙ୍କ ବିକାଶ ପାଇଁ ରାଜ୍ୟ ସରକାର ନିରନ୍ତର ଭାବେ ପ୍ରୟାସ ଜାରି ରଖିଛନ୍ତି ।