ବିଦ୍ୟୁତ ଆଘାତରେ ୩ ହାତୀ ମୃତ, କର୍ମଚାରୀଙ୍କ ତୃଟି ଯୋଗୁ ହାତୀ ମୃତ୍ୟୁ: PCCF ସୁଶାନ୍ତ ନନ୍ଦ

ରେଢ଼ାଖୋଲ: ଦିନକୁ ଦିନ ଶିକାରୀଙ୍କ ଜାଲରେ ଫସୁଛନ୍ତି ହାତୀ । ସମ୍ବଲପୁର ରେଢ଼ାଖୋଲ ନାକଟିଦେଉଳ ରେଞ୍ଜ ବୁରମାଲ ଜଙ୍ଗଲରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବିଦ୍ୟୁତ ତାର ଲାଗି ୩ ହାତୀଙ୍କ ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି ।

ସୂଚନାରୁ ପ୍ରକାଶ ବାରହା ଶିକାର ପାଇଁ ଜଙ୍ଗଲରେ ଶିକାରୀ ବିଦ୍ୟୁତ ତାର ବିଛାଇଥିଲେ । ବିଦ୍ୟୁତ ତାର ସଂଶ୍ପର୍ଷରେ ଆସି ୩ ହାତୀ ମୃତ୍ୟୁବରଣ କରିଥିଲେ । ଖବର ପାଇ ଘଟଣାସ୍ଥଳରେ ବନବିଭାଗ ପହଂଚି ୩ ହାତୀର ମୃତ ଦେହ ଉଦ୍ଧାର କରିଥିବା ଜଣାପଡ଼ିଛି । ଦୁଇଟି ବଡ଼ ହାତୀ ସହ ଗୋଟିଏ ଛୁଆ ହାତୀର ମୃତ ଦେହ ଉଦ୍ଧାର କରାଯାଇଛି । ଏନେଇ ବନବିଭାଗର ଅଧିକ ଯାଞ୍ଚ୍ ଜାରି ରହିଛି । ବନ ବିଭାଗର ପାଟ୍ରୋଲିଂ କର୍ମଚାରୀଙ୍କ ତୃଟି ଯୋଗୁଁ ହାତୀଙ୍କ ମୃତ୍ୟୁ ହୋଇଛି । ହାତୀ ମୃତ୍ୟୁକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ । ଦିନକୁ ଦିନ ହାତୀ ସଂଖ୍ୟା ହ୍ରାସ ହେଉଥିବା ବେଳେ ଏହା ବନ ବିଭାଗ ପାଇଁ ଚିନ୍ତାର ବିଷୟ ପାଲଟିଛି । ସିସିଏଫ୍ ଏବଂ ଆରସିସିଏଫଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ଏବଂ ଏଥିପାଇଁ ସରକାରଙ୍କୁ ସୁପାରିସ କରାଯିବ ବୋଲି କହିଛନ୍ତି ଶ୍ରୀ ନନ୍ଦ ।