ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ତାଙ୍କ କାର୍ ଉପରକୁ ପଥର ମାଡ ହୋଇଥିବା ବେଳେ ଆକ୍ରମଣରେ ସେ ଆହତ ହୋଇଥିବା ଜଣାପଡିଛି । ତେବେ ପଥରମାଡ ଯୋଗୁଁ ତାଙ୍କ ମୁଣ୍ଡ ଫାଟି ଯାଇଥିବା ନେଇ ମଧ୍ୟ କୁହାଯାଉଛି । ତେବେ ଆକ୍ରମଣ ପରର କିଛି ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହା ଦେଖିଲେ ଆକ୍ରମଣ କେତେ ବିପଦଜନ୍ନକ ତାହା ବାରି ହୋଇ ପଡୁଛି । ଭାଇରାଲ ହେଉଥିବା ଫଟୋରୁ ସ୍ପଷ୍ଟ ଜଣାପଡୁଛି ଯେ ଅନିଲ ଦେଶମୁଖ କାରରେ ଡ୍ରାଇଭର ପାଖରେ ଥିବା ସିଟରେ ବସିଛନ୍ତି ଏବଂ ତାଙ୍କ କାରର କାଚ ଭାଙ୍ଗି ଯାଇଛି ।
ଜାତୀୟତାବାଦୀ କଂଗ୍ରେସ ପାର୍ଟି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଉପରେ ଆକ୍ରମଣ କଟୋଲ-ଜାଲାଲଖଡା ରାସ୍ତାରେ ହୋଇଥିବା ସୂଚନା ରହିଛି । ସେ ନରଖଡରେ ଏକ ସାଧାରଣ ସଭାରୁ ପୁଅ ସଲୀଲ ଦେଶମୁଖଙ୍କ ପାଇଁ ପ୍ରଚାର କରି ଫେରୁଥିବା ବେଳେ ତାଙ୍କ ଉପରେ ପଥରମାଡ ହୋଇଛି । ତାଙ୍କ ପୁଅ ସଲୀଲ ଦେଶମୁଖ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହା ବିକାଶ ଆଗାଡି (MVA) ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଆଜି ପ୍ରଚାରର ଶେଷ ଦିନ ରହିଥିବା ବେଳେ ପୁଆ ପାଇଁ ଭୋଟ ମାଗିବାକୁ ଯାଇଥିଲେ ଅନୀଲ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋରୁ ଏହା ସ୍ପଷ୍ଟ ଜଣାପଡୁଛି ଯେ ଅନିଲ ଦେଶମୁଖଙ୍କ ମୁଣ୍ଡରୁ ରକ୍ତ ପ୍ରବାହିତ ହେଉଛି ଏବଂ କିଛି ଲୋକ ତାଙ୍କୁ ନେଇ ହସ୍ପିଟାଲ ଯାଉଛନ୍ତି । ଏହା ବ୍ୟତୀତ ଅନ୍ୟ ଏକ ଚିତ୍ରରେ ସେ କିଛି ଲୋକଙ୍କ ସହ ବସିଛନ୍ତି ଏବଂ ତାଙ୍କ ମୁଣ୍ଡରେ ଧଳା ରଙ୍ଗର ଟାୱେଲ ବନ୍ଧା ହୋଇଛି । ତେବେ ଏନେଇ ସେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।