ନୂଆଦିଲ୍ଲୀ: ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଅଂଶଗ୍ରହଣ କରିବା ପାଇଁ ଭାରତ ପାକିସ୍ତାନ ଗ୍ରସ୍ତ କରିବ ନାହିଁ ବୋଲି ପୂର୍ବରୁ ଭାରତ ପକ୍ଷରୁ ସ୍ପଷ୍ଟ କରାଯାଇଥିବା ବେଳେ ଏହାକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅସନ୍ତୋଷ ପ୍ରକାଶ କରିଛି । ତେବେ ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଗସ୍ତ କରିବାକୁ ଭାରତ ମନା କରିବା ପରେ ପାକିସ୍ତାନ ବିଳି ବିଳେଇବାରେ ଲାଗିଛି । ତେବେ ଏହା ମଧ୍ୟରେ ପାକିସ୍ତାନକୁ ପୁଣି ଏକ ଝଟକା ଦେଇଛି ଭାରତ । ନଭେମ୍ବର ୨୩ରୁ ଡିସେମ୍ବର ୩ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଦୃଷ୍ଟିବାଧିତ ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ କ୍ରିକେଟ ଟିମକୁ ମଞ୍ଜୁରୀ ମିଳିନାହିଁ ।
ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଏହି ନିଷ୍ପତ୍ତି ପରେ ଏବେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)କୁ ଲାଗିଛି ଡବଲ୍ ଝଟକା । ଏଥର ବ୍ଲାଇଣ୍ଡ ଟି-୨୦ କ୍ରିକେଟ ବିଶ୍ୱ କପ ୨୦୨୪ ପାକିସ୍ତାନ ଆୟୋଜନ କରୁଛି । ଭାରତୀୟ ବ୍ଲାଇଣ୍ଡ ଟିମ୍ ପାକିସ୍ତାନ ଗସ୍ତ କରିବା ନେଇ ଏହା ପୂର୍ବରୁ ଭାରତୀୟ କ୍ରୀଡ଼ା ମନ୍ତ୍ରଣାଳୟ ମଞ୍ଜୁରୀ ଦେଇଥିଲା । ମାତ୍ର ସରକାରଙ୍କ ମଞ୍ଜୁରୀ ମିଳିବା ନେଇ ମାମଲା ଅଟକି ରହିଥିଲା । କେବଳ କ୍ରୀଡ଼ା ମନ୍ତ୍ରଣାଳୟର ମଞ୍ଜୁରୀ ଯଥେଷ୍ଟନଥିଲା । ଭାରତୀୟ ଟିମ୍ ପାକିସ୍ତାନ ଗସ୍ତ କରିବା ପାଇଁ ଗୃହ ଓ ବିଦେଶ ମନ୍ତ୍ରଣାଳୟର ମଞ୍ଜୁରୀ ଜରୁରୀ ଥିଲା । ମାତ୍ର ଏଠାରେ ମଧ୍ୟ ପାକିସ୍ତାନ ନିରାଶ ହୋଇଛି । ଭାରତ ସରକାର ପାକିସ୍ତାନକୁ ଭାରତୀୟ ଦଳ ପଠାଇବାକୁ ମଞ୍ଜୁରୀ ଦେଇ ନାହାନ୍ତି । କ୍ରିକେଟ ଆସୋସିଏସନ ଫର ଦି ବ୍ଲାଇଣ୍ଡ ଇନ ଇଣ୍ଡିଆ (ସିଏବିଆଇ)ର ସହାୟକ ସଚିବ ଏ ବାବଦରେ ସୂଚନା ଦେଇଛନ୍ତି ।