ପୁଣେ: ସାଥୀ ଖୋଜୁଛି ବାଘ । ଆପଣ ଯାହା ପଢ଼ିଛନ୍ତି କିଛି ଭୁଲ୍ ପଢ଼ି ନାହାନ୍ତି । କାରଣ ସତରେ ଏ ଘଟଣା ଘଟିଛି, ମହାରାଷ୍ଟ୍ରରେ । ବାଘ ଜନୀ ବାହାରିପଡ଼ିଛି ବାଘୁଣୀର ସନ୍ଧାନରେ । ଆଉ ଯାହାପାଇଁ ସେ ୩୦୦ କିଲୋମିଟର ବାଟ ଅତିକ୍ରମ କରିସାରିଲାଣି । ମହାରାଷ୍ଟ୍ରର ଟିପେଶ୍ୱର ଚିଡ଼ିଆ ଖାନାର ଜନୀ ଏବେ ଯାଇ ପହଞ୍ଚିଛି ତେଲଙ୍ଗାନାରେ । ଆଦିଲାବାଦ ଓ ନିର୍ମଲ ଜିଲ୍ଲା ପାର୍ ହୋଇ ସେ ତେଲଙ୍ଗାନାରେ ପହଞ୍ଚିଥିବା ରେଡିଓ କୋଲାର ସାହାଯ୍ୟରେ ଜଣାପଡ଼ିଛି । ନାଗପୁର-ହାଇଦ୍ରାବଦ ଏନଏଚ୍-୪୪ ଅତିକ୍ରମ କରି ଜନୀ ଏବେ ଟିରିୟାନି ଏରିଆ ଆଡକୁ ବଢ଼ୁଥିବା ଅନୁମାନ କରାଯାଉଛି ।
ଆଦିଲାବାଦ ଜିଲା ବନ ଅଧିକାରୀ ପ୍ରଶାନ୍ତ ବାଜିରାଓ ପାଟିଲଙ୍କ ମତରେ , ଜନୀ ବାଘୁଣୀ ପାଇଁ ଚିଡ଼ିଆଖାନାରୁ ବାହାରିଛି । ଶୀତ ଋତୁ ଆରମ୍ଭ ହୋଇଗଲେ, ବାଘମାନଙ୍କ ସଂଭୋଗ ସମୟ ଆରମ୍ଭ ଯୋଇଯାଏ । ଯେ କୌଣସି ସ୍ଥିତିରେ ବାଘକୁ ବାଘୁଣୀର ଆବଶ୍ୟତା ରହିଥାଏ । ସେ ଦୃଷ୍ଟିରୁ ଜନୀ ବାଘୁଣୀକୁ ଖୋଜି ଖୋଜି ଏବେ ୩୦୦ କି.ମି. ଦୂର ବାଟ ଚାଲିଗଲାଣି । ନଭେମ୍ବର ପ୍ରଥମ ସପ୍ତାହରେ ଜନୀ ନିଜର ଏହି ଯାତ୍ରା ଆରମ୍ଭ କରିଥିଲା । ବାଘୁଣୀର ଗନ୍ଧକୁ ୧୦୦ କି.ମି. ଦୂରରୁ ବାଘ ବାରି ଦେଇ ପାରନ୍ତି । ଯାହା ତାଙ୍କର ବିଶେଷ ଗୁଣ ବୋଲି ଆମେ କହିପାରିବା । ଖାଲି ବାଘୁଣୀ ନୁହେଁ ବରଂ ଖାଦ୍ୟ ପାଇଁ ମଧ୍ୟ ଜନୀ ଏତେ ଦୂର ବାଟ ଚାଲିଯାଇଥାଏ ପାରେ ବୋଲି ପ୍ରଶାନ୍ତ କହିଛନ୍ତି । ରେଡିଓ କୋଲାରରୁ ମିଳିଥିବା ତଥ୍ୟ ଅନୁସାରେ ମହାରାଷ୍ଟ୍ରରୁ ତେଲଙ୍ଗାନା ଅତିକ୍ରମ କରିବା ବାଟରେ ଜନୀ ୫ଟି ଗାଈର ଶିକାର କରିସାରିଛି । ଜନୀର ଏ ଯାତ୍ରା ହୁଏତ କୌଣସି ଲୋକଙ୍କ ଆଖିରେ ପଡ଼ିନାହିଁ । କାରଣ ଏବେସୁଦ୍ଧା କୌଣସି ଜିଲାର ଲୋକେ ବାଘ ଚରାବୁଲାକୁ ନେଇ କୌଣସି ଅଭିଯୋଗ କରିନାହାନ୍ତି । ଜନୀର ଗତିବିଧିକୁ ଲକ୍ଷ୍ୟ କଲେ ଆଗାମୀଦିନରେ ସେ କାୱଲ ବ୍ୟାଘ୍ର ଅଭୟାରଣ୍ୟରେ ପହଞ୍ଚିବାର ଅଧିକ ସମ୍ଭାବନା ରହିଛି । ସେଠାରେ କିନ୍ତୁ ଜନୀକୁ ଖାଦ୍ୟାଭାବ ଭଳି ସମସ୍ୟା ଭୋଗିବାକୁ ପଡ଼ିପାରେ । କାରଣ ୨୦୨୨ରୁ ସେଠାରେ କୌଣସି ବାଘ ସ୍ଥାୟୀ ଭାବେ ରହିପାରି ନାହିଁ । ୩୦୦ କିଲୋମିଟର ବାଟ ଚାଲି ଚାଳି ଅତିକ୍ରମ କଲା ପରେ ବି ଜନୀକ ଏପର୍ଯ୍ୟନ୍ତ ସାଥୀଟିଏ ମିଳିପାରିନି ।