ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଚଳିତ ବର୍ଷର ଶରତ ସାହିତ୍ୟ ସମାରୋହ ଓ ନବୀନବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବରେ ଜଣାଶୁଣା କଥାଶିଳ୍ପୀ ତଥା ବିଶିଷ୍ଟ ସାହିତ୍ୟିକ ପ୍ରଫେସର ରାମଚନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ନିଜସ୍ୱ ଆତ୍ମବିଶ୍ୱାସ ଓ ଦୃଢ଼ତା ବଳରେ ଛାତ୍ରଛାତ୍ରୀମାନଙ୍କୁ ସଫଳତା ମିଳିବ ବୋଲି ଶ୍ରୀ ବେହେରା କହିଛନ୍ତି । ବିଶିଷ୍ଟ ଚିନ୍ତକ, ଲୋକସଂସ୍କୃତି ଗବେଷକ ତଥା ଦୂରଦର୍ଶନର ପ୍ରାକ୍ତନ ନିର୍ଦ୍ଦେଶକ ଡ. ଶାନ୍ତନୁ କୁମାର ରଥ ମୁଖ୍ୟବକ୍ତା ଭାବେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ସାଧନା, ଚିନ୍ତନ ଓ ଧାର୍ମିକ ସହନଶୀଳତାରୁ ହିଁ ସାଂସ୍କୃତିକ ଚେତନା ସୃଷ୍ଟି ହୁଏ ଓ ଏହି ସଂସ୍କୃତିରୁ ଅସ୍ମିତା ଆସିଥାଏ ବୋଲି ସେ କହିଥିଲେ । ଆଜିର ଯୁବପିଢ଼ି ଆମ ଇତିହାସ, ଭାଷା ଓ ସାହିତ୍ୟକୁ ବୁଝିବା ଦ୍ୱାରା ସେମାନଙ୍କ ମଧ୍ୟରେ ସାଂସ୍କୃତିକ ଗୌରବବୋଧ ସୃଷ୍ଟିହେବ । ଏହିପରି ସଂସ୍କୃତି ମନସ୍କତାର ବିକାଶ ଦ୍ୱାରା ସଂସ୍କୃତି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ନିଜର ପ୍ରତିଭା ପ୍ରଦର୍ଶନ କରିବାରେ ସଫଳ ହେବେ ବୋଲି ସେ ମତବ୍ୟକ୍ତ କରିଥିଲେ। ବିଶିଷ୍ଟ କବି ତଥା ଚିତ୍ରଶିଳ୍ପୀ ଶ୍ରୀଯୁକ୍ତ ଅତୁଲ ବଳ ସମ୍ମାନିତ ଅତିଥିଭାବେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଛାତ୍ରଛାତ୍ରୀମାନେ ସରଳ ମଣିଷପଣିଆ ଦ୍ବାରା ଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସମ୍ଭବପର ବୋଲି ସେ କହିଥିଲେ । ଗୁଣାତ୍ମକ ଶିକ୍ଷା ଗ୍ରହଣକରି ଛାତ୍ରଛାତ୍ରୀମାନେ ସାଂସ୍କୃତିକ ରାଷ୍ଟ୍ରଦୂତ ହୋଇପାରିବା କଥା କୁଳପତି ପ୍ରଫେସର ସ୍ୱାଇଁ ନିଜ ବକ୍ତବ୍ୟରେ କହିଛନ୍ତି । ଏହି ଅବସରରେ ବିଶ୍ୱବିଦ୍ୟାଳୟରେ ଯୋଗଦେଇଥିବା ଭୀମଭୋଇ ଚେୟାର ପ୍ରଫେସର ଡ. ନିଶାମଣି କର ଓ ସାରଳାଦାସ ଚେୟାର ପ୍ରଫେସର ଡ. ପ୍ରେମାନନ୍ଦ ମହାପାତ୍ରଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସହକାରୀ ପ୍ରଫେସର ଡ. ଆଶିଷ ମହାପାତ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିବାବେଳେ କୁଳସଚିବ ଅନାମିକା ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ। ଡ. ଜ୍ଞାନ ରଂଜନ ପଣ୍ଡା କାର୍ୟ୍ୟକ୍ରମକୁ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମର ଦ୍ୱିତୀୟାର୍ଦ୍ଧରେ ନବୀନବରଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଅବିନାଶ ରାଉତ ଓ ସୁଶ୍ରୀ ଶର୍ମିଷ୍ଠା ଷଡଙ୍ଗୀ ସାହିତ୍ୟ ଅସାରର ପରିଚାଳନା କରିଥିଲେ।