ଭୁବନେଶ୍ୱର : ରାଜ୍ୟରେ ଆସନ୍ତାକାଲିଠାରୁ ଖରିଫ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ । ଏ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଆସନ୍ତାକାଲିଠାରୁ ବରଗଡ଼ ଏବଂ ଗୁରୁବାରଠାରୁ ସମ୍ବଲପୁରରେ ଧାନକିଣା ଆରମ୍ଭ ହେବ । ଧାନକିଣା ଆରମ୍ଭରୁ ବିକ୍ରି ପର୍ଯ୍ୟନ୍ତ ମଣ୍ଡିରେ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିବେ । କଟନୀ ଛଟନୀ ସହ ଚାଷୀଙ୍କୁ ଧାନର ଉପଯୁକ୍ତ ମୂଲ୍ୟ ବ୍ୟବସ୍ଥାର ଅଧିକାରୀମାନେ ତଦାରଖ କରିବେ । ଚାରିରୁ ପାଞ୍ଚଟି ମଣ୍ଡିକୁ ନେଇ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ରାଜ୍ୟ ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ ଶହ ଟଙ୍କା କରିଛନ୍ତି । ଚାଷୀମାନଙ୍କୁ ସବ୍ସିଡି ଦେବା ଉପରେ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ।
ବରଗଡ଼ ଜିଲ୍ଲା ଅତାବିରାରୁ ରାଜ୍ୟ ସରକାର ଧାନକିଣାର ଶୁଭାରମ୍ଭ କରିବେ । ଧାନ କିଣିବା ପାଇଁ ପ୍ରଶାସନ ପକ୍ଷରୁ ସବୁ ବନ୍ଦୋବସ୍ତ କରାଯାଇଛି । ଜିଲ୍ଲାର ୧୨ଟି ବ୍ଲକରେ ୨୨୯ ମାର୍କେଟ୍ ୟାର୍ଡରେ ଧାନ କିଣା ହେବ । ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି, ୫୮ଟି ପେକ୍ସ, ୨୦ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ୧୧୩ ଜଣ ମିଲର୍ସ ଧାନ କିଣିବେ। ମଣ୍ଡିରେ ଧାନର ମାନ ମାପିବା ପାଇଁ ପ୍ୟାଡି କ୍ଲିନର ମେସିନ ବ୍ୟବହାର କରାଯିବ । ଡିଜିଟାଲ ଉପାୟରେ ଧାନର ଆର୍ଦ୍ରତା ମପାଯିବ । ଜଳସେଚିତ ଅଞ୍ଚଳର ଚାଷୀଙ୍କଠାରୁ ଏକର ପିଛା ୧୯ କୁଇଣ୍ଟାଲ ଏବଂ ଅଣ ଜଳସେଚିତ ଅଞ୍ଚଳ ଚାଷୀଙ୍କଠାରୁ ଏକର ପିଛା ୧୩ କୁଇଣ୍ଟାଲ ଧାନ କିଣାଯିବାକୁ ସ୍ଥିର କରାଯାଇଛି । ଚାଷୀଙ୍କୁ ପ୍ରଥମ ଥର ପାଇଁ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦିଆଯିବ । ୨୩ ଶହ ଟଙ୍କା ଏମଏସପି ଏବଂ ରାଜ୍ୟ ସରକାରଙ୍କ ୮୦୦ ଟଙ୍କାର ଇନପୁଟ ସବସିଡି ।