ଟେଷ୍ଟ ସିରିଜ୍ ପୂର୍ବରୁ ବଡ଼ ଅଘଟଣ: ବ୍ୟାଟ୍ସମ୍ୟାନଙ୍କ ଷ୍ଟ୍ରେଟ ଡ୍ରାଇଭ୍ ଶଟ୍ ସିଧା ଯାଇ ଅମ୍ପାୟାରଙ୍କ ମୁହଁରେ ବାଜିଲା…
ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷଷ୍ଟ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି । ଏହି ଗୁରୁତ୍ୱପୂର୍ଣ୍ଣ ସିରିଜକୁ କବଜା କରିବା ପାଇଁ ଉଭୟ ଦଳର ଅଧିନାୟକ ଏବେ ରଣନୀତିରେ ବ୍ୟସ୍ତ ରହିଛନ୍ତି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଜୋରରେ ଆସୁଥିବା ଏକ ବଲ ଅମ୍ପାୟାରଙ୍କ ମୁହଁରେ ବାଜିବାରୁ ତାଙ୍କର ଅବସ୍ଥା ଗୁରୁତର ହୋଇଯାଇଛି । ସାଉଥ ପର୍ଥରେ ଏକ ଥାର୍ଡ ଗ୍ରେଡ ମ୍ୟାଚ ଖେଳାଯାଉଥିଲା । ସେହି ସମୟରେ ବ୍ୟାଟ୍ସମ୍ୟାନ ଏକ ଷ୍ଟ୍ରେଟ୍ ଡ୍ରାଇଭ୍ ଶର୍ଟ ଖେଳିଥିଲେ । ତେବେ ଦୁର୍ଭାଗ୍ୟବଶତଃ ବଲଟି ଦ୍ରୁତବେଗରେ ଯାଇ ଅମ୍ପାୟାରଙ୍କ ମୁହଁରେ ବାଜିଥିଲା ।
ଜଣାପଡ଼ିଛି ଯେ, ଅମ୍ପାୟାର ଟୋନି ଡେନୋବ୍ରେଗାଙ୍କ ଚେହେରାରେ ବଲ ବାଜିବା ଫଳରେ ତାଙ୍କର ଗାଲ ଓ ଆଖି ଫୁଲିଯାଇଛି । ଏହାପରେ ସଙ୍ଗେସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି । ବଲ ମାଡ଼ରେ ଅମ୍ପାୟାରଙ୍କର ମୁହଁ, ଆଖି, ଓଠ ଗମ୍ଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି । ତେବେ ସବୁଠାରୁ ବଡ଼ କଥା ହୋଇଛି ଏତେବଡ଼ ଅଘଟଣରେ ଟୋନିଙ୍କର ମୁହଁର କୌଣସି ହାଡ଼ ଭାଙ୍ଗିନାହିଁ । ଟୋନିଙ୍କର ଅସ୍ତ୍ରୋପଚାର କରାଯିବ ନାହିଁ ବୋଲି ୱେଷ୍ଟ ଅଷ୍ଟ୍ରେଲିଆ ଅମ୍ପାୟାର ଆସୋସିଏସନ ତରଫରୁ କୁହାଯାଇଛି ।