ଚଣ୍ଡିଗଡ଼: ଆମ ଆଦମୀ ପାର୍ଟି(ଆପ୍) ପଞ୍ଜାବ ପାଇଁ ଏହାର ନୂତନ ଅଧ୍ୟକ୍ଷଙ୍କ ନାଁ ଘୋଷଣା କରିଛି । ଏହା ବ୍ୟତୀତ ନୂତନ ଉପାଧ୍ୟକ୍ଷ ଭାବରେ ନିକଟତମ ବିଧାୟକଙ୍କୁ ବଡ଼ ଦାୟିତ୍ୱ ଦେଇଛି ଆପ୍ । ଏନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛନ୍ତି ।
ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ‘ଏକ୍ସ’ରେ ଲେଖିଛନ୍ତି, ‘ପଞ୍ଜାବରେ ଆପର ଅଧ୍ୟକ୍ଷ ଭାବେ ଅମନ ଅରୋଡ଼ା ଏବଂ ଉପାଧ୍ୟକ୍ଷ ଭାବେ ଅମନଶେର୍ ସିଂହ କଲସୀଙ୍କୁ ଦଳ ଚୟନ କରିିଛି । ଆଜି ମୁଁ ଦୁଇ ଜଣ ନିକଟତମ ସାଥିଙ୍କୁ ବଡ଼ ଦାୟିତ୍ୱ ହସ୍ତାନ୍ତର କରୁଛି । ଆସନ୍ତା ସମୟରେ ପଞ୍ଜାବରେ ସେମାନେ ପାର୍ଟି ଏବଂ ସଂଗଠନକୁ ଆହୁରି ମଜବୁତ କରିବା ସହ ନୂତନ ଶିଖରକୁ ନେଇଯିବେ ବୋଲି ମୋ ବିଶ୍ୱାସ ।’ ବର୍ତ୍ତମାନ ଦଳ ନୂତନ ହିନ୍ଦୁ ଚେହେରା ଭାବରେ ଅମନ ଅରୋଡ଼ାଙ୍କ ଉପରେ ବାଜି ଲଗାଇଛି । ଏହା ଦ୍ୱାରା ବିଜେପି ହିନ୍ଦୁ ଭୋଟ ବ୍ୟାଙ୍କ ହାତେଇବା ନେଇ ବିଭିନ୍ନ କଳ୍ପନାଜଳ୍ପନା ଲାଗି ରହିଛି ।
ଅମନ ଅରୋଡ଼ା କିଏ ?
୨୦୧୭ରେ ପଞ୍ଜବ ବିଧାନସଭା ନିର୍ବାଚନରେ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସୁନାମ୍ ବିଧାନସଭା ଆସନରୁ ସେ ୩୦, ୩୦୭ ଭୋଟରେ ନିର୍ବାଚନ ଜିତିଥିଲେ । ଦୁଇ ଥର ବିଧାୟକ ରହିଥିବା ଭଗବାନ ଦାସ ଅରୋଡ଼ାଙ୍କ ସେ ସୁପୁତ୍ର । କଂଗ୍ରେସର ଜସବିନ୍ଦର ସିଂହ ଧୀମାନଙ୍କୁ ସେ ୭୫, ୨୭୭ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ । ଅମନ ଆପ୍ ପଞ୍ଜାବ ୟୁନିଟର ସହ ସଭାପତି ଭାବେ ଦାୟିତ୍ୱ ତୁଲାଇଛନ୍ତି । ୨୦୦୭ ଏବଂ ୨୦୧୨ରେ ସେ କଂଗ୍ରେସ ଟିକେଟରେ ଦୁଇଥର ସୁନାମରୁ ନିର୍ବାଚନ ଲଢ଼ିଛନ୍ତି । ଏହା ପରେ ୨୦୧୬ ଜାନୁଆରୀରେ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲଙ୍କ ରାଜନୀତିରୁ ପ୍ରଭାବିତ ହୋଇ ସେ ଦଳରେ ସାମିଲ ହୋଇଥିଲେ ।
ଅମନଶେର୍ ସିଂହ କଲସୀ କିଏ ?
ସେ ହେଉଛନ୍ତି ଭାରତୀୟ ରାଜନୀତିଜ୍ଞ ଏବଂ ବଟାଲା ବିଧାନସଭା ଅଂଚଳର ବିଧାୟକ ତଥା ଆପର ସଦସ୍ୟ । ଏହା ବ୍ୟତୀତ ସେ କଲସୀ ପଞ୍ଜାବ ବିଧାନସଭାରେ ବଟାଲା ବିଧାନସଭା ନିର୍ବାଚନ ମଣ୍ଡଳୀକୁ ବିଧାୟକ ଭାବରେ ପ୍ରତିନିଧିତ୍ୱ କରୁଛନ୍ତି । ଏଥର ଆପ୍ ତାଙ୍କ ଉପରେ ବିଶ୍ୱାସ କରି ବଡ଼ ଦାୟିତ୍ୱ ଦେଇଛି ।
ਅੱਜ ਮੈਂ ਪਾਰਟੀ ਪ੍ਰਧਾਨ ਦੀ ਜ਼ਿੰਮੇਵਾਰੀ ਆਪਣੇ ਦੋ ਕਰੀਬੀ ਸਾਥੀ ਕੈਬਿਨੇਟ ਮੰਤਰੀ ਅਮਨ ਅਰੋੜਾ ਅਤੇ ਵਿਧਾਇਕ ਅਮਨਸ਼ੇਰ ਸਿੰਘ ਸ਼ੈਰੀ ਕਲਸੀ ਨੂੰ ਸੌਂਪ ਦਿੱਤੀ ਹੈ। ਪਾਰਟੀ ਨੇ ਫ਼ੈਸਲਾ ਕੀਤਾ ਹੈ ਕਿ ਅਮਨ ਅਰੋੜਾ ਪਾਰਟੀ ਪ੍ਰਧਾਨ ਅਤੇ ਸ਼ੈਰੀ ਕਲਸੀ ਵਰਕਿੰਗ ਪ੍ਰੈਜ਼ੀਡੈਂਟ ਦੇ ਤੌਰ ‘ਤੇ ਕੰਮ ਕਰਨਗੇ। ਮੈਨੂੰ ਆਪਣੇ ਦੋਵਾਂ ਸਾਥੀਆਂ ‘ਤੇ ਪੂਰਾ ਭਰੋਸਾ ਹੈ… pic.twitter.com/EUWXCTddpi
— Bhagwant Mann (@BhagwantMann) November 22, 2024