ଭୁବନେଶ୍ବର: ଆସୁଛି ଲଘୁଚାପ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଥିବା ବେଳେ 25 ତାରିଖ ଅର୍ଥାତ ସୋମବାର ବେଳକୁ ଏହା ଅବପାତର ରୂପ ନେବ । ତେବେ ଅବପାତର ରୂପ ନେବା ପରେ ଏହା ପଶ୍ଚିମ ଦିଗ ଆଡକୁ ମୁହାଁଇବ । ତେବେ ସବୁଠାରୁ ବଡ କଥା ହେଉଛି ଲଘୁଚାପର ପ୍ରଭାବ ଓଡିଶା ଉପରେ ପଡିବ ନାହିଁ । କିନ୍ତୁ ଆସନ୍ତା 28 ତାରିଖ ଯାଏଁ ରାଜ୍ୟର କିଛି ସ୍ଥାନରେ କାଁଭାଁ ବର୍ଷା ହୋଇପାରେ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ସୂଚନା ଅନୁସାରେ, ଆସନ୍ତା 4 ଦିନ ରାଜ୍ୟରେ ପ୍ରାୟ ପାଗ ଶୁଖିଲା ରହିବ । 27 ତାରିଖ ବେଳକୁ କେନ୍ଦ୍ରାପଡା, ଭଦ୍ରକ, ଜଗତସିଂପୁର ଏବଂ ପୁରୀର କିଛିସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଅନ୍ୟପଟେ 28 ତାରିଖରେ କେନ୍ଦ୍ରାପଡା, କୋରାପୁଟ, ଜଗତସିଂପୁର ଏବଂ ମାଲକାନଗିରିରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ରାଜ୍ୟରେ ବର୍ତ୍ତମାନ ଅନେକ ସ୍ଥାନରେ ତାପମାତ୍ରା 15 ଡିଗ୍ରୀ ତଳକୁ ରହିଥିବା ବେଳେ ବର୍ଷା ହେଲା ପରେ ତାପମାତ୍ରା ଆହୁରି ଖସିବା ନେଇ ଆକଳନ କରାଯାଉଛି । ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ତାପମାତ୍ରା ଅପରିବର୍ତ୍ତିତ ରହିବ । ଦିନ କିମ୍ବା ରାତିର ତାପମାତ୍ରାରେ କୌଣସି ବିଶେଷ ପରିବର୍ତ୍ତନ ପରିଲିଖିତ ହେବ ନାହିଁ । ତେବେ ଶୀତ ପାଇଁ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ ।