ଆରମ୍ଭ ହେବ ହେମନ୍ତଙ୍କ ଚତୁର୍ଥ ପାଳି, ଆଜି ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ!

ରାଞ୍ଚି: ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନେତା ହେମନ୍ତ ସୋରେନ ପୁଣଥରେ ହେବେ ମୁଖ୍ୟମନ୍ତ୍ରୀ । ଆଉ ଦୁଇଦିନ ପରେ ଅର୍ଥାତ୍ ୨୬ ତାରିଖରେ ହେମନ୍ତ ଶପଥ ଗ୍ରହଣ କରିବେ ବୋଲି ଚର୍ଚ୍ଚା ଜୋର୍ ଧରିଛି । ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଇଣ୍ଡିଆ ମେଣ୍ଟର ଟପ୍ ଲିଡର ସାମିଲ ହେବେ । ସେମାନଙ୍କ ଭିତରେ ରହିଛନ୍ତି, ରାହୁଲ ଗାନ୍ଧୀ, ମମତା ବାନାର୍ଜୀ, ଅଖିଳେଷ ଯାଦବ ଓ ଅରବିନ୍ଦ କେଜ୍ରିୱାଲ ପ୍ରମୁଖ । ତେବେ ଏ ସମ୍ପର୍କରେ ଜେଏମଏମ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ଗଣମାଧ୍ୟମ ରିପୋର୍ଟ ମୁତାବକ ଶପଥ ଗ୍ରହଣ ପୂର୍ବରୁ ଆଜି ଅପରାହ୍ନ ୪ଟାବେଳେ ହେମନ୍ତ ଝାରଖଣ୍ଡ ରାଜ୍ୟପାଳ ସନ୍ତୋଷ ଗଙ୍ଗୱରଙ୍କୁ ଭେଟିବେ । ତାଙ୍କ ସହ ସାକ୍ଷାତ କରି ରାଜ୍ୟରେ ନୂତନ ସରକାର ଗଢ଼ିବା ପାଇଁ ପ୍ରସ୍ଥାବ ଦେବେ ।

ଜେଏମଏମକୁ ବାଦ୍ ବିଧାୟକଙ୍କୁ ଛାଡ଼ି କଂଗ୍ରେସର ୬ ଏମଏଲଏ ଏବଂ ଆରଜେଡିର ୪ଜଣ ବିଧାୟକ ହେମନ୍ତଙ୍କ କ୍ୟାବିନେଟରେ ସାମିଲ ହେବେ । ଝାରଖଣ୍ଡ ନିର୍ବାଚନରେ ଇଣ୍ଡିଆ ମେଣ୍ଟ ପୁଣିଥରେ ପାୱାରକୁ ଆସିଯାଇଛି । ମୋଟ ୮୧ ଆସନରୁ ଇଣ୍ଡିଆ ମେଣ୍ଟ ଥିବା ଦଳ ୫୬ଟିରେ ବିଜୟ ହାସଲ କରିଛନ୍ତି । ହେମନ୍ତଙ୍କ ଦଳ ରାଜ୍ୟର ୪୩ ଆସନ ପାଇଁ ପ୍ରାର୍ଥୀ ଦେଇଥିବାବେଳେ ୩୪ଟି ଆସନରେ ବିଜୟ ଲାଭ କରିଛି ।