ବାପରେ କି ଚାପୁଡ଼ା….! ଫୁଲ ସହିତ ମୋବାଇଲ ବାଜିଲା ବାବାଙ୍କ ମୁହଁରେ, ଗାଲ ଆଉଁସି ଆଉଁସି ଚାଲିଲେ ବାଟ

ଲକ୍ଷ୍ନୌ: ବାଗେଶ୍ୱର ଧାମ ପୀଠ ମୁଖ୍ୟ ତଥା ପ୍ରବଚକ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଉପରକୁ ମୋବାଇଲ ମାଡ଼ ହୋଇଛି । ଉତ୍ତର ପ୍ରଦେଶରେ ଆୟୋଜିତ ହିନ୍ଦୁ ଏକତା ଯାତ୍ରା ଅବସରରେ ଏ ଘଟଣା ଘଟିଥିବା ଜଣାପଡ଼ିଛି । ବାବାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ହିନ୍ଦୁ ଏକତା ଯାତ୍ରାରେ ଅନୁଗାମୀଙ୍କ ସହ ବାବା ଝାନ୍ସିରେ ପହଞ୍ଚିଥିଲେ । ସେଠାରେ କେହିଜଣେ ବାବାଙ୍କ ମୁହଁକୁ ମୋବାଇଲ ମାଡ଼ କରିଥିବାର ଦେଖିବାକୁ ମିଳିଛି । ଫୋନ୍ଟି ସିଧାସଳଖ ବାବାଙ୍କ ଗାଲରେ ବାଜିଥିଲା । ସମ୍ପୂର୍ଣ୍ଣ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ଘଟଣାାକୁ ନେଇ ଧିରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି, କେହିଜଣେ ମୋବାଇଲ ସହ ଫୁଲ ତାଙ୍କ ଉପରକୁ ପିଙ୍ଗିଛନ୍ତି । ତାଙ୍କ ହିନ୍ଦୁ ଏକତା ଯାତ୍ରାକୁ ବହୁ ଲୋକଙ୍କ ସମର୍ଥନ ମିଳୁଛି । ଏହି ଯାତ୍ରା ୨୯ ନଭେମ୍ବର ପର୍ଯ୍ୟନ୍ତ ଚାଲିବ ।

ଭାରତକୁ ହିନ୍ଦୁ ରାଷ୍ଟ୍ର ଗଢ଼ି ତୋଳିବା ପାଇଁ ବାଗେଶ୍ୱର ବାବାଙ୍କ ମୂଳ ଲକ୍ଷ୍ୟ । ଯେଉଁ କାରଣରୁ ସେ ସବୁବେଳେ ହିନ୍ଦୁତ୍ୱ ଏବଂ ସନାତନ ଧର୍ମ କଥା କହିଥାନ୍ତି । ତାଙ୍କ ପ୍ରବଚନକୁ ଶୁଣିବା ପାଇଁ ତଥା ତାଙ୍କ ଦର୍ଶନ ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଲାଗେ । ବହୁ ହିନ୍ଦୁ ସମର୍ଥକ ତାଙ୍କୁ ପସନ୍ଦ କରନ୍ତି । ଆଉ ତାଙ୍କୁ ନାପସନ୍ଦ କରୁଥିବା ଲୋକେ ବାବାଙ୍କ ବିରୋଧରେ ଅପପ୍ରଚାର କରିବାକୁ ପଛାନ୍ତି ନାହିଁ । କେହି କେହି କୁହନ୍ତି,ବାଗେଶ୍ୱର ବାବାଙ୍କ ଯୋଗୁ ଦେଶରେ ଅନ୍ଧ ବିଶ୍ୱାସ ବ୍ୟାପୁଛି । ବହୁ ସିନେତାରକା ଓ ନାମୀଦାମୀ ଲୋକ ବାବାଙ୍କ ଦର୍ଶନ କରୁଥିବା ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳିଛି । ଗତକାଲି ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ଧିରେନ୍ଦ୍ରଙ୍କୁ ଭେଟିଛନ୍ତି । ଏହାପୂର୍ବରୁ ଜିଓ ମାଲିକ ମୁକେଶ ଅମ୍ବାନୀ ତାଙ୍କ ପୁଅ ବାହାଘରରେ ବାବାଙ୍କୁ ନିମନ୍ତ୍ରଣ କରିଥିଲେ ।