ନୂଆଦିଲ୍ଲୀ: ସୋସିଆଲ ମିଡିଆର ବ୍ୟବହାର ଦିନକୁ ଦିନ ଖୁବ ବଢିବାରେ ଲାଗିଛି । ସାଧାରଣ ଲୋକଙ୍କ ଜୀବନକୁ ଏହା ଯେତିକି ସହଜ ଏବଂ ସରଳ କରିଛି, ତା’ଠାରୁ ଅଧିକ ବ୍ୟାପୁଛି ଭୟଙ୍କର କଣ୍ଟେଣ୍ଟ । ପ୍ରତ୍ୟେକ ଦିନ ବିଭିନ୍ନ ପ୍ରକାରର ଅଶ୍ଳୀଳ କଣ୍ଟେଣ୍ଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହିସବୁ କଣ୍ଟେଣ୍ଟ ପିଲା ମାନଙ୍କ ପ୍ରତି ଖରାପ ପ୍ରଭାବ ପକାଇବା ସହିତ ଦେଶରେ ଅପରାଧ ସଂଖ୍ୟା ମଧ୍ୟ ବୃଦ୍ଧି କରୁଛି । ତେଣୁ ଏହାକୁ ରୋକିବା ପାଇଁ ସରକାର ଖୁବଶୀଘ୍ର ଆଇନ୍ ଆଣୁଛନ୍ତି । ତେଣୁ ଏଭଳି ଅଶ୍ଳୀଳ କଣ୍ଟେଣ୍ଟ ପ୍ରସ୍ତୁତ କରୁଥିବା ୟୁଜର ମାନେ ଏବେଠୁ ସାବଧାନ୍ ହୋଇଯିବା ଉଚିତ୍ ।
କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ପ୍ରସଙ୍ଗକୁ ସଂସଦରେ ଉଠାଇଛନ୍ତି । ସୋସିଆଲ ମିଡିଆ ତଥା ଓଟିଟି ପ୍ଲାଟଫର୍ମରେ ବୃଦ୍ଧି ପାଉଥିବା ‘ଅଶ୍ଳୀଳ କଣ୍ଟେଣ୍ଟ’କୁ ରୋକିବା ପାଇଁ ଆଇନ୍ ପ୍ରସ୍ତୁତ କରାଯିବା ଉଚିତ ବୋଲି ଦାବି କରିଛନ୍ତି ଅଶ୍ୱିନୀ ବୈଷ୍ଣବ । ଶୂନ୍ୟକାଳରେ ସାଂସଦ ଅରୁଣ ଗୋଭିଲ ଏହି ପ୍ରସଙ୍ଗ ଏବଂ ଏହାର ଯାଞ୍ଚ ପାଇଁ ଆଇନକୁ ନେଇ ଏକ ପ୍ରଶ୍ନ ଉଠାଇଥିଲେ । ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆମ ଦେଶ ଏବଂ ଯେଉଁ ଦେଶରୁ ଏହିସବୁ ପ୍ଲାଟଫର୍ମ ଆସୁଛି, ସେଠାକାର ସାଂସ୍କୃତିକ ସମ୍ବେଦନଶୀଳତାରେ ଅନେକ ପାର୍ଥକ୍ୟ ରହିଛି । ତେଣୁ ସ୍ଥାୟୀ ସମିତି ଏହି ପ୍ରସଙ୍ଗ ଉଠାଇବା ଉଚିତ୍ ବୋଲି ସେ ପ୍ରକାଶ କରିଛନ୍ତି । ବର୍ତ୍ତମାନର ଆଇନ୍ କାନୁନକୁ ଆହୁରି ମଜବୁତ କରିବା ଉଚିତ୍ ଏବଂ ଏଥିପ୍ରତି ସହମତି ପ୍ରଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ଅନଲାଇନ୍ ପୋ୍େଟ ହେଉଥିବା କଣ୍ଟେଣ୍ଟରେ ‘ଏଡିଟୋରିଆଲ ଚେକ୍’ର ଅଭାବକୁ ମଧ୍ୟ ଦୋଷୀ ବୋଲି କହିଛନ୍ତି । ପୂର୍ବରୁ କଣ୍ଟେଣ୍ଟ ଉପରେ ହେଉଥିବା ଏଡିଟୋରିଆଲ ଚେକ୍ ହେଉନାହିଁ । ସୋସିଆଲ ମିଡିଆ ଆଜି ପ୍ରେସର ସ୍ୱାଧୀନତା ପାଇଁ ଏକ ବଡ଼ ମାଧ୍ୟମ ପାଲଟିଛି । ଏହାସହିତ ଏଡିଟୋରିଆଲ ଚେକ୍ ହରାଇ ଅଶ୍ଳୀଳ କଣ୍ଟେଣ୍ଟକୁ ମଧ୍ୟ ଅପଲୋଡ କରାଯାଉଛି । ତେଣୁ ଏଥିପାଇଁ ଏକ ଆଇନ୍ ବ୍ୟବସ୍ଥା ରହିବା ଉଚିତ୍ ବୋଲି ଦାବି କରିଛନ୍ତି ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ଧାରାବାହିକ ‘ରାମାୟଣ’ର ‘ପ୍ରଭୁ ରାମ’ ଅରୁଣ ଗୋଭିଲ ।