ଶିମଲା: ହିମାଚଳ ପ୍ରଦେଶର ସୁଖୁ ସରକାରଙ୍କୁ ନେଇ ଅନେକ ସମୟରେ ବିବାଦ ଦେଖିବାକୁ ମିଳିଥାଏ । ଏଥିମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ନିଜ ଛବି ସୁଧାରିବା ଦିଗରେ ବଡ଼ କାମ କରିବାକୁ ଯାଉଛନ୍ତି । ସୁଖୁ କ୍ୟାବିନେଟ୍ ମନ୍ତ୍ରୀଙ୍କ ଛବି ସୁଧାରିବା ଏବଂ ପ୍ରଶଂସା କରିବା ପାଇଁ ସୋସିଆଲ ମିଡିଆ ସଂଯୋଜକ ନିଯୁକ୍ତ କରିବେ । ଏହି ପ୍ରସଙ୍ଗରେ ଏକ ନିର୍ଦ୍ଦେଶ ଜାରି କରାଯାଇଛି । ପ୍ରତି ମନ୍ତ୍ରୀଙ୍କ ପାଇଁ ଦୁଇ ଜଣ ସୋସିଆଲ ମିଡିଆ ସଂଯୋଜକ ନିଯୁକ୍ତ କରିବାକୁ ସରକାର ଅନୁମୋଦନ ଦେଇଛନ୍ତି ।
ହିମାଚଳ ପ୍ରଦେଶ ସରକାରର ସୂଚନା ଏବଂ ଜନସମ୍ପର୍କ ବିଭାଗ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ବ୍ୟକ୍ତିଗତ ସଚିବଙ୍କ ନିକଟକୁ ଚିଠି ଲେଖାଯାଇଛି । ଏଥିରେ ଉଲ୍ଲେଖ ରହିଛି, ‘ଆଉଟ୍ସୋର୍ସ ଆଧାରରେ ସୋସିଆଲ ମିଡିଆ ସଂଯୋଜକ ନିଯୁକ୍ତ କରିବା ପାଇଁ ସରକାର ପୂର୍ବରୁ ଅନୁମୋଦନ ଦେଇଥିଲେ । ପ୍ରତ୍ୟେକ ମନ୍ତ୍ରୀଙ୍କ ପାଇଁ ୨ ଜଣ ସଂଯୋଜକ ନିଯୁକ୍ତ ହେବେ ଏବଂ ସେମାନଙ୍କ ମାସିକ ବେତନ ୩୦ ହଜାର ଟଙ୍କାର ରହିବ ।’ ଏହି ପରିପ୍ରେକ୍ଷୀରେ ପୂର୍ବତନ କଂଗ୍ରେସ ନେତା ତଥା ଧର୍ମଶାଳାର ବର୍ତ୍ତମାନର ବିଜେପି ବିଧାୟକ ସୁଧୀର ଶର୍ମା ଏହି ମାମଲାରେ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି କି ସେ ଜନତାଙ୍କ ଟଙ୍କା ଉପରେ ଆଉ ଏକ ବୋଝ ଲଦୁଛନ୍ତି । ନିଯୁକ୍ତି ସମ୍ପର୍କରେ ପ୍ରଶ୍ନ ଉଠାଇ କହିଥିଲେ କି ଏମାନଙ୍କ ଦରମା ଏବଂ ଯୋଗ୍ୟତା କେତେ ରହିବ ? ଏହି ନିର୍ଦ୍ଦେଶରେ ଏହା ଉଲ୍ଲେଖ ରହିନାହିଁ କି ଆସନ୍ତା ଡିସେମ୍ବର ୩ ପର୍ଯ୍ୟନ୍ତ ହାଇକୋର୍ଟ ଆଉଟସୋର୍ସ ନିଯୁକ୍ତି ଉପରେ ରୋକ୍ ଲଗାଇଛନ୍ତି ।