ନୂଆଦିଲ୍ଲୀ- ଆଜିକାଲି ମଦ ଏକ ଆମୋଦରେ ପରିଣତ ହୋଇଛି । ବାହାଘର ହେଉ ବା ସଫଳତାର ପାର୍ଟି ସବୁଠି ମଦ ପରସା ଯାଉଛି । କେତେକ ତ ଶୁଦ୍ଧିଘରେ ମଧ୍ୟ ମଦର ବ୍ୟବସ୍ଥା କରିବା ପରି ଘଟଣା ସାମ୍ନାକୁ ଆସିଲାଣି । ତେବେ ମଦକୁ ନେଇ ଖୁସି ହେଉଥିବା ଲୋକଙ୍କ ପାଇଁ ଆସିଲା ଚିନ୍ତିତ କରିବା ପରି ତଥ୍ୟ । ମଦ ମାତ୍ରାଧିକ ଓ ନିୟମିତ ପିଉଥିଲେ ହୋଇଯାଆନ୍ତୁ ସାବଧାନ । ଏହା ଆପଣଙ୍କରେ ଅନେକ ସମସ୍ୟା ସୃଷ୍ଟିକରି ପାରେ ।
ମଦ ପିଇବା ଦ୍ୱାରା ବ୍ୟକ୍ତିର ବ୍ୟକ୍ତିତ୍ୱ ପ୍ରଭାବିତ ହୋଇଥାଏ । ମଦ ପିଇବା ପରେ ସେ କଣ କରୁଛି ତାର ହୋସ ତାକୁ ନ ଥାଏ ଆଉ ତା ପରଦିନ ବା ନିଶା ଛାଡିବା ପରେ ନିଶାସକ୍ତ ଅବସ୍ଥାର ଘଟଣା ମନେ ନ ଥାଏ । ଫଳରେ ନିଶାରେ ସେ କୌଣସି ଭୁଲ ବା ଅପରାଧ କରିବା ଚିନ୍ତାଧାରା ତା ଭିତରେ ସୃଷ୍ଟିହୁଏ । କଣ କିଛି ଭୁଲ କରିଛି, ଏହି ଚିନ୍ତାରେ ଅନେକ ସମୟ କାଟଇଥାଏ । ଫଳରେ ତାର ଦୈନନ୍ଦିନ କାମ ବାଧାପ୍ରାପ୍ତ ହୁଏ । ଧୀରେ ଧୀରେ ଏହି ଚିନ୍ତା ଲୁଣ ପରି ତାର ମନ ଓ ଶରୀରକୁ ଦୁର୍ବଳ କରିଦିଏ । ସ୍ମରଣ ଶକ୍ତି ହ୍ରାସ ପାଏ ।
ଖାଲି ସେତିକି ନୁହେଁ ମଦ ପିଇବା ଦ୍ୱାରା ବ୍ୟକ୍ତିର ଶାରୀରିକ କ୍ଷମତା ମଧ୍ୟ କମିଯାଏ । ସହଜରେ ହାଲିଆ ହୋଇପଡେ । ଏହା ବ୍ୟତୀତ ପୁରୁଷଙ୍କ ଯୌନଶକ୍ତି ହ୍ରାସ ପାଇଥାଏ । ସ୍ଥିତି ଏମିତି ହୁଏ କି, ସମ୍ଭୋଗ ପୂର୍ବରୁ ହିଁ ସାମାନ୍ୟ ଉତ୍ତେଜନାରେ ବିର୍ଜ କ୍ଷରଣ ହୋଇଯାଏ । ଯାହା ଦାମ୍ପତ୍ୟ ଜୀବନରେ ଅଶାନ୍ତିର ମୁଖ୍ୟ କାରଣ ହୋଇଥାଏ ।
ନିଜର ଅପାରଗତା ପାଇଁ ବ୍ୟକ୍ତି ଭିତରେ ଇନସିକ୍ୟୁରିଟି ବୃଦ୍ଧି ପାଏ । ନିଜ କମି ପାଇଁ ପତ୍ନୀଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖେ । ଯାହା ପରିବର୍ତ୍ତୀ ସମୟରେ ବିବାହ ବିଚ୍ଛେଦ ଆଡକୁ ଟାଣିନିଏ ।