ରାୟପୁର- ଛତିଶଗଡର ଏକ ନିର୍ବନ୍ଧକୁ ନେଇ ଚର୍ଚ୍ଚା । ଚର୍ଚ୍ଚାରେ ବର ଓ କନ୍ୟା ତଥା ତାଙ୍କ ଅଜବ ବେଶ ଭୁସା । ଆଜିକାଲି ବିବାହ ପୂର୍ବରୁ କେତେ ସବୁ ରସମର ପାଳନ ହେଉଛି । ମୁଦିପିନ୍ଧା ବା ନିର୍ବନ୍ଧ ବା ଏନଗେଜମେଣ୍ଟ ଯାହା କୁହନ୍ତୁ, ସେବେଠାରୁ ମେହେନ୍ଦି, ହଲଦୀ, ବିବାହ ପରି ଅନେକ ରସମ ହେଉଛି । ତା ସାଙ୍ଗକୁ ସେହି ରସମକୁ କିଏ କେତେ ନିଆରା ଢଙ୍ଗରେ ଓ ଆକର୍ଷଣୀୟ କରିବ ତାକୁ ନେଇ ଚାଲିଛି ପ୍ରତିଯୋଗିତା । ଏତିକି ବେଳେ ଛତିଶଗଡର ଏକ ଯୋଡିଙ୍କ ନିର୍ବନ୍ଧ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।
କାରଣ ନିର୍ବନ୍ଧରେ ବର ଓ କନ୍ୟା ସଜବାଜ ହେବା ସହ ପିନ୍ଧିଥିଲେ ହେଲମେଟ । ଉଭୟଙ୍କୁ ମଣ୍ଡପରେ ଦେଖିବା ପରେ ଅନେକ ସମୟ ପାଇ ଚାପା ଗୁଞ୍ଜରଣ ଖେଳି ଯାଇଥିଲା । ବନ୍ଧୁ ବାନ୍ଧବ, ସାଥୀ ପରିଜନ ଆବାକ ହୋଇ ଚାହିଁଥିଲେ । ବୀରେନ୍ଦ୍ର ସାହୁ ଓ ଜ୍ୟୋତି ସାହୁଙ୍କ ଏମିତି ନିଆରା ବେସ ପଛରେ ଥିଲା ଏକ ଗୁଢ ରହସ୍ୟ । ନିର୍ବନ୍ଧ କାର୍ଯ୍ୟକ୍ରମରେ ବର କନ୍ୟା ପରସ୍ପରକୁ ମୁଦି ପିନ୍ଧାଇବା ସହ ସମସ୍ତଙ୍କୁ ହେଲମେଟ ପିନ୍ଧିବାକୁ କରିଥିଲେ ଅନୁରୋଧ ।
ବୀରେନ୍ଦ୍ର କହିଥିଲେ, ତାଙ୍କ ବାପାଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । କାରଣ ସେ ହେଲମେଟ ପିନ୍ଧି ନ ଥିଲେ । ସେହି ଦିନରୁ ବୀରେନ୍ଦ୍ର ନିଜେ ହେଲମେଟ ପିନ୍ଧିବା ସହ ଅନ୍ୟମାନଙ୍କୁ ହେଲମେଟ ପିନ୍ଧିବାକୁ ଅନୁରୋଧ କରନ୍ତି । ଖାଲି ସେତିକି ନୁହେଁ ଏହି ପରିବାର ହଜାରରୁ ଅଧିକ ହେଲମେଟ ମଧ୍ୟ ଲୋକଙ୍କୁ ଦାନ ତଥା ଉପହାର ଦେଇଆସୁଛନ୍ତି । ତେଣୁ ସଡକ ସଚେତନତାର ବାର୍ତ୍ତା ନେଇ ବୀରେନ୍ଦ୍ର ନିଜେ ହେଲମେଟ ପିନ୍ଧିବା ସହ ନିଜ ଭାବି ପତ୍ନୀଙ୍କୁ ମଧ୍ୟ ହେଲମେଟ ପିନ୍ଧାଇ ଚର୍ଚ୍ଚାକୁ ଆସିଛନ୍ତି ।