ଜେଲନସ୍କିଙ୍କୁ ପୁଟିନଙ୍କ ନାଲି ଆଖି… ଅଧରାତିରେ କିଭ୍ ଉପରେ ରୁଷର ମିଶାଇଲ ମାଡ଼, ୧୦ ଲକ୍ଷରୁ ଅଧିକ ଘରେ ବିଜୁଳି ନାହିଁ….

ମସ୍କୋ/କିଭ୍: ଅଧରାତିରେ ରୁଷ୍ ୟୁକ୍ରେନ୍ ଉପରେ କରିଛି ମିଶାଇଲ ମାଡ଼ । ମିଶାଇଲ ମାଡ଼ ଯୋଗୁ ଏବେ କିଭ୍ର ୧୦ ଲକ୍ଷରୁ ଅଧିକ ଘରର ବିଜୁଳି ଚାଲିଯାଇଛି । ଯାହାପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକେ ଅନ୍ଧାରରେ ରହିଛନ୍ତି । ଏହାଥିଲା ରୁଷ୍ର ୟୁକ୍ରେନ୍ ଉପରେ ୧୧ତମ ମିଶାଇଲ ଆଟାକ୍ । ୟୁକ୍ରେନ୍ର ଲାର୍ଜ ସ୍କେଲ ଏନର୍ଜି ସପ୍ଲାଏ ପ୍ଲାଣ୍ଟ ଉପରେ ମିଶାଇଲ ମାଡ଼ ହେବା କାରଣରୁ ସ୍ଥାନୀୟ ଅଞ୍ଚଳରେ ବିଜୁଳି ଚାଲିଯାଇଥିବା କିଭ୍୍ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷେ ମିଶାଇଲ ମାଡ଼ରେ ୟୁକ୍ରେନର ୧୭ ଟି ସ୍ଥାନ ଧ୍ୱସ୍ତ ହୋଇଥିବା ପୁଟିନ୍ କରିଛନ୍ତି । ଏଥିସହ ଆଗାମୀ ଦିନରେ ସମାନ ପରିସ୍ଥିତି ଉପୁଜିବାର ଅଧିକ ଆଶଙ୍କା ଥିବା କହି ୟୁକ୍ରେନକୁ ତାଗିଦ୍ ମଧ୍ୟ କରିଛନ୍ତି ପୁଟିନ୍ ।

କାଜାକସ୍ତାନରେ ଆୟୋଜିତ ସୁରକ୍ଷା ସମିତିରେ ଗୁରୁବାର ଯୋଗଦେଇ ପୁଟିନ୍ କହିଛନ୍ତି ଯେ, ଆମେରିକାର ଏଟିଏସିମ୍ସି ମିଶାଇଲ ଆକ୍ରମଣ କରିବା ନେଇ ୟୁକ୍ରେନ୍ ଯେଉଁ ଡରାଣ ଦେଖାଉଥିଲା ତା ଜବାବ୍ରେ ରୁଷିଆ କିଭ୍ ଉପରକୁ ମିଶାଇଲ ମାଡ଼ କରିଛି । ଏହାବ୍ୟତୀତ ଆଗାମୀଦିନରେ ରୁଷ ନିଜର ନୂଆ ଓରେସନିକ୍ ମିଡିୟମ୍ ରେଞ୍ଜ ବାଲିଷ୍ଟିକ୍ ମିଶାଇଲ ଦ୍ୱାରା କିଭ୍ ଉପରକୁ ଆକ୍ରମଣ କରିବା ନେଇ ଚେତାବନୀ ଦେଇଛି । ଅନ୍ୟପକ୍ଷେ ପୁଟିନ୍ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ରମ୍ପ ଜଣେ ଅଭିଜ୍ଞ ଏବଂ ବୁଦ୍ଧିମାନ ବୋଲି ସେ କହିଛନ୍ତି । ପାଖାପାଖି ୩ ବର୍ଷ ଧରି ରୁଷି ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗି ରହିଛି । କିନ୍ତୁ ଯୁଦ୍ଧର ପରିସମାପ୍ତି ଘଟୁନାହିଁ । ଦୁଇଦେଶ ନିଜସ୍ୱ ବଳ ଲଗେଇ ଲଢ଼େଇ ଜାରି ରଖିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ୟୁକ୍ରେନକୁ ସବୁ ପ୍ରକାର ସହାୟତା ଯୋଗାଉଛନ୍ତି । କିନ୍ତୁ ଟ୍ରମ୍ପ ଶାସନ ଗାଦିକୁ ଆସିଲେ ୟୁକ୍ରେନକୁ ମିଳିଥିବା ଆମେରିକାର ସହଯୋଗ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ।