ଜନନୀ ଏକ୍ସପ୍ରେସରେ ନାବାଳିକାଙ୍କୁ ଗଣଦୁଷ୍କର୍ମ: ଚଳନ୍ତା ଆମ୍ବୁଲାନ୍ସରେ ରାକ୍ଷସଙ୍କୁ ଟେକିଦେଲେ ଭଉଣୀ-ଭିଣୋଇ

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦେଶରେ ବୃଦ୍ଧି ପାଇଛି ଯୌନ ଅପରାଧ ମାମଲା। କୋଲକାତାର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ, ଲଗାତାର ଭାବେ ଦୁଷ୍କର୍ମ ମାମଲା ବଢିଥିବା ଦେଖାଦେଇଛି। ସେମିତି ଏକ ମାମଲା ମଧ୍ୟପ୍ରଦେଶର ମଉଗଞ୍ଜ ଜିଲ୍ଲାରେ ଦେଖା ଦେଇଛି। ଚଳନ୍ତା ଆମ୍ବୁଲାନ୍ସରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଜଘନ୍ୟ ଅପରାଧ ସମ୍ପର୍କରେ ସୂଚନା ଦେଇ ଜିଲ୍ଲା ପୁଲିସର ବରିଷ୍ଠ ଅଧିକାରୀମାନେ କହିଛନ୍ତି, ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ବିଭାଗ ପ୍ରତିଶ୍ରୁତିବଦ୍ଧ, ଆମେ ଯଥାଶୀଘ୍ର ଦୋଷୀମାନଙ୍କୁ ଜେଲ୍ ପଠାଇବୁ।

ପୁଲିସ ସୂଚନା ଅନୁଯାୟୀ, ନଭେମ୍ବର ୨୨ ତାରିଖରେ ‘୧୦୮’ ଜରୁରୀକାଳୀନ ସେବା ଅଧୀନରେ ଚଳାଚଳ କରୁଥିବା ଜନନୀ ଏକ୍ସପ୍ରେସରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଏହି ଘଟଣାରେ ଡ୍ରାଇଭର ଙ୍କ ସମେତ ୪ ଅଭିଯୁକ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ଗିରଫ କରାଯାଇଛି। ଡିଆଇଜି ସାକେତ ପାଣ୍ଡେ କହିଛନ୍ତି ଯେ ନାବାଳିକା ଜଣକ ତାଙ୍କ ଭଉଣୀ ଏବଂ ଭିଣୋଇଙ୍କ ସହ ଆମ୍ବୁଲାନ୍ସରେ ଯାତ୍ରା କରୁଥିଲେ। ସେମାନଙ୍କ ବ୍ୟତୀତ ଆମ୍ବୁଲାନ୍ସରେ ଡ୍ରାଇଭର ଓ ତାଙ୍କ ସହଯୋଗୀ ଅନ୍ୟ ଦୁଇ ଜଣ ଉପସ୍ଥିତ ଥିଲେ।

ଡିଆଇଜି ପାଣ୍ଡେ ଗଣମାଧ୍ୟମକୁ କହିଛନ୍ତି ଯେ ନାବାଳିକା ଜଣକ ତାଙ୍କ ଭଉଣୀ ଓ ଭିଣୋଇଙ୍କ ସହ ଆମ୍ବୁଲାନ୍ସଯୋଗେ ତାଙ୍କ ଘରକୁ ଯାଇଥିଲେ। ନାବାଳିକାଙ୍କ ଭଉଣୀ ଓ ଭିଣୋଇଙ୍କ ବିରୋଧରେ ଅପରାଧରେ ସହଯୋଗ ଓ ପ୍ରୋତ୍ସାହନ ଅଭିଯୋଗ ରହିଛି। ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଯୌନ ଅପରାଧରୁ ଶିଶୁ ସୁରକ୍ଷା (ପୋକ୍ସୋ) ଆଇନ ଏବଂ ଭାରତୀୟ ଦଣ୍ଡବିଧି ଆଇନର ସମ୍ପୃକ୍ତ ଧାରା ଅନୁଯାୟୀ ମାମଲା ରୁଜୁ କରାଯାଇଛି।