ସାବଧାନ ଯାତ୍ରା ମାଲିକ! ଆସୁଛି ମାର୍ଗଦର୍ଶିକା, ବନ୍ଦ ହୋଇଯିବ ଅଶ୍ଳୀଳ ନାଚ

ଭୁବନେଶ୍ୱର- ଯାତ୍ରାରେ ବନ୍ଦ ହେବ ଅଶ୍ଳୀଳ ନାଚ । ଆଇଟମ ଡ୍ୟାନ୍ସ ଉପରେ ଲାଗିବ ରୋକ । ଆଜି ଗୃହରେ ସଂସ୍କୃତି ମନ୍ତ୍ରୀ ଏହି ଲିଖିତ ବିବୃତ୍ତି ଦେଇଛନ୍ତି । ଏହା ରାଜ୍ୟର ସଂସ୍କୃତିର ଅବକ୍ଷୟର କାରଣ ହେଉଥିବାରୁ ବୁଦ୍ଧିଜୀବୀ ଏହା ଉପରେ ଆପତ୍ତି କରିଆସୁଥିଲେ । ଯାତ୍ରାରେ ପ୍ରଦର୍ଶିତ ହେଉଥିବା ଅଶ୍ଲୀଳ ତଥା ଲଙ୍ଗଳା ନାଚ ବନ୍ଦ କରିବାକୁ ରାଜ୍ୟ ସରକାର ଗୁରୁତ୍ୱର ସହ ବିଚାର କରୁଛନ୍ତି । ଏହାକୁ ନେଇ ଶୀଘ୍ର ଗାଇଡଲାଇନ ଜାରି କରାଯିବ । ସରକାର ଏଥିପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରୁଥିବା କହିଛନ୍ତି ସଂସ୍କୃତି ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ । ଏହିପରି ଉତ୍ତର ଆସିଛି ସରକାର ତରଫରୁ ।
କିଛି ଦିନ ଆଗରୁ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ ଆପତ୍ତି ଉଠାଇଥିଲେ । ସେ କହିଥିଲେ, ଯାତ୍ରାରେ ହିଂସା ତଥା ନଗ୍ନ ନୃତ୍ୟ ଆମ ଓଡିଆ ସଂସ୍କୃତିକୁ ନଷ୍ଟ କରୁଛି । ତେଣୁ ଏସବୁକୁ ବନ୍ଦ କରିବା ଦିଗରେ ସରକାର ପଦକ୍ଷେପ ନେବା ଜରୁରୀ । ତେଣୁ ଯାତ୍ରା ପାଇଁ ସେନ୍ସର ବୋର୍ଡ ଗଠନ କରିବାକୁ ସେ ଦାବି କରିଥିଲେ ।
ଖାଲି ବାବୁ ସିଂହ ନୁହଁନ୍ତି ପୂର୍ବରୁ ବିଭିନ୍ନ ସଂଗଠନ ତଥା ବୁଦ୍ଧିଜୀବୀ ମଧ୍ୟ ଯାତ୍ରାରେ ନଗ୍ନ ନୃତ୍ୟ ପରିବେଷଣକୁ ବିରୋଧ କରି ଆସୁଛନ୍ତି । ସେମାନଙ୍କ ମୁତାବକ, ଏହା ଓଡିଆ ସଂସ୍କୃତି ବିରୋଧୀ । ଏହା ବ୍ୟତୀତ, ଯାତ୍ରା ରାଜ୍ୟର ସଂସ୍କୃତି ସହ ଜଡିତ । ଲୋକମାନେ ପରିବାର ସହ ଯାତ୍ରା ଦେଖିବାକୁ ଆସିଥାନ୍ତି । କିନ୍ତୁ ଏପରି ନଗ୍ନ ନୃତ୍ୟ ପରିବେଷଣ ଦ୍ୱାରା ସେମାନଙ୍କୁ ଅପ୍ରିତିକର ପରିସ୍ଥିତିର ସାମ୍ନା କରିବାକୁ ପଡୁଛି । ତେଣୁ ଏପରି ଅଶ୍ଳୀଳ ନାଚକୁ ବନ୍ଦ କରିବା ପାଇଁ ବିଭିନ୍ନ ବର୍ଗ ଦାବି କରୁଥିଲେ ।
ଏମିତିକି ଖଣ୍ଡଗିରିରେ ମଧ୍ୟ ଏପରି ନାଚ ପ୍ରଦର୍ଶନ ନ କରିବାକୁ ପୂର୍ବ ସରକାର ଗତ କିଛି ବର୍ଷ ହେବ ନିର୍ଦ୍ଦେଶନାମା ଜାରି କରିଥିଲେ । ତେବେ ଏସବୁକୁ ଫୁ କରି ବିଭିନ୍ନ ସ୍ଥାନରେ ଯାତ୍ରା ବେଳେ ଅଭିନେତ୍ରୀମାନଙ୍କ ଉଦଣ୍ଡ ନାଚ ଦେଖିବାକୁ ମିଳୁଛି ତଥା ଏହାକୁ ନେଇ ଅପ୍ରିତିକର ଓ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବା କଥା ନଜରକୁ ଆସୁଛି ।