ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀଙ୍କ ମାସିକ ଦରମା କେତେ ? ଜାଣନ୍ତୁ କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମିଳିଥାଏ ଅଧିକ ଦରମା

ନୂଆଦିଲ୍ଲୀ: ଗୁରୁବାର ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଦେବେନ୍ଦ୍ର ଫଡନାବିସ । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାୱାର ଓ ଏକନାଥ ସିନ୍ଦେ ମଧ୍ୟ ଶପଥ ପାଠ କରିଥିଲେ । ମହାରାଷ୍ଟ୍ରରର ରାଜ୍ୟପାଳ ସି. ପି ରାଧାକୃଷ୍ଣନ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଭିନ୍ନ କଳ୍ପନାଜଳ୍ପନା ଲାଗି ରହିଥିଲା । ଏଥିମଧ୍ୟରେ ନୂତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ଦରମାକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଚର୍ଚ୍ଚା ଲାଗି ରହିଛି ।

ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବେତନ ସମୟ ସମୟରେ ସଂଶୋଧିତ ହୁଏ । ରାଜ୍ୟ ବିଧାନସଭା ମୁଖ୍ୟମନ୍ତ୍ରୀଙ୍କ ଦରମା ସହ ଅନେକ ଭତ୍ତା ସ୍ଥିର କରିଥାଏ । ଏଥିମଧ୍ୟରେ ମହଙ୍ଗା ଭତ୍ତା (DA) ସହ ଯାତ୍ରା ଭତ୍ତା(TA), ଆବାସ ଭତ୍ତା, ଚିକିତ୍ସା ସୁବିଧା ଇତ୍ୟାଦି ଅନ୍ତର୍ଭୁକ୍ତ । ମହାରାଷ୍ଟ୍ରର ନୂତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ମାସିକ ଦରମା ୩.୪ ଲକ୍ଷ ଟଙ୍କା ମିଳିବ । ତାଙ୍କୁ ସିଏମ୍ ଆବାସ, ଗାଡ଼ି, ବିଦ୍ୟୁତ, ଫୋନ୍ ଏବଂ ଯାତ୍ରା ଭଳି ସୁବିଧା ପ୍ରଦାନ କରାଯିବ । ୨୦୧୬ରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଦରମା ୨.୨୫ ଲକ୍ଷ ଟଙ୍କା ଥିଲା । ମୁଖ୍ୟମନ୍ତ୍ରୀଙ୍କୁ Sumptuary Allowance(ଅଧିକାରିକ ଖର୍ଚ୍ଚ ଭତ୍ତା) ପାଇଁ ବାର୍ଷିକ ୧୦ ଲକ୍ଷ ଟଙ୍କା ମିଳିଥାଏ । ଏହା ବ୍ୟତୀତ ସହାୟକ ପାଇଁ ମାସିକ ୨୫ ହଜାର ଟଙ୍କା ମିଳିଥାଏ । ପ୍ରତ୍ୟେକ ରାଜ୍ୟରେ ବିଭିନ୍ନ ପ୍ରକାର ସୁବିଧା ରହିଛି । ତେବେ ଆସନ୍ତୁ ଜାଣିବା କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସବୁଠାରୁ ଅଧିକ ଦରମା(ମାସିକ) ମିଳୁଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ(୩.୯୦ ଲକ୍ଷ), ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ(୩.୬୫ ଲକ୍ଷ), ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ(୩.୧୦ ଲକ୍ଷ), ଗୁଜରାଟ ମୁଖ୍ୟମନ୍ତ୍ରୀ(୩.୨୧ ଲକ୍ଷ), ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ(୪.୧୦ ଲକ୍ଷ), ହରିୟାଣା ମୁଖ୍ୟମନ୍ତ୍ରୀ(୨.୮୮ ଲକ୍ଷ), ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ(୨.୫୫ ଲକ୍ଷ), ମଧ୍ୟପ୍ରଦେଶ, ଛତିଶଗଡ଼, ପଞ୍ଜାବ ମୁଖ୍ୟମନ୍ତ୍ରୀ(୨.୩୦ ଲକ୍ଷ), ଗୋଆ ମୁଖ୍ୟମନ୍ତ୍ରୀ(୨.୨୦ ଲକ୍ଷ), ବିହାର ମୁଖ୍ୟମନ୍ତ୍ରୀ(୨.୧୫ ଲକ୍ଷ), ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ(୨.୧୦ ଲକ୍ଷ), ତାମିଲନାଡୁ ମୁଖ୍ୟମନ୍ତ୍ରୀ(୨.୦୫ ଲକ୍ଷ), କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ(୨ ଲକ୍ଷ), ସିକ୍କିମ୍ ମୁଖ୍ୟମନ୍ତ୍ରୀ(୧.୯ ଲକ୍ଷ) ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ (୧.୬ ଲକ୍ଷ) ଟଙ୍କା ମାସିକ ଦରମା ମିଳିଥାଏ । ମୁଖ୍ୟମନ୍ତ୍ରୀଙ୍କ ଦରମା ସହ କେନ୍ଦ୍ର ସରକାର ଏବଂ ସଂସଦ ସହ କୌଣସି ସମ୍ପର୍କ ନଥାଏ ।