ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ଡ୍ରଗ-ଦେ-ଆଡିକ୍ସନ ସେଣ୍ଟର (ଡିଏସି) ପାଇଁ ରାଜ୍ୟ ସେବାର ‘ଗ୍ରୁପ-ବି’ରେ କ୍ଲିନିକାଲ ସାଇକୋଲୋଜିଷ୍ଟ ପଦ ପୂରଣ ହେବ । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ କିଛି ମାସ ତଳେ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଏବେ ଲିଖିତ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଆସନ୍ତା ଜାନୁଆରୀ ମାସ ୫ ତାରିଖ (ରବିବାର) ଦିନ ସକାଳ ୧୦.୩୦ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଖୁବଶୀଘ୍ର ଏହି ପରୀକ୍ଷାର ସବିଶେଷ ପ୍ରୋଗ୍ରାମ ଜାରି କରାଯିବ । ନିୟମିତ ଭାବେ ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିବାକୁ ପ୍ରାର୍ଥୀଙ୍କୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ଅଣସଂରକ୍ଷିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାର୍ଥୀଙ୍କ ପାଇଁ ଏଥିରେ ପଦ ସଂରକ୍ଷିତ ରହିଛି । ମୋଟ ୬ଟି ପଦ ଖାଲି ରହିଥିବା ବେଳେ ଲିଖିତ ପରୀକ୍ଷା ଓ ଇଣ୍ଟରଭ୍ୟୁ ମାଧ୍ୟମରେ କ୍ଲିନିକାଲ ମନୋବିଜ୍ଞାନୀ ପଦ ପୂରଣ ହେବ । ଲିଖିତ ପରୀକ୍ଷା ପାଇଁ ୯୦ ମାର୍କ ରହିଥିବା ବେଳେ ଇଣ୍ଟରଭ୍ୟୁ ପାଇଁ ୧୦ ମାର୍କ ରହିଛି । ପ୍ରତ୍ୟେକ ପ୍ରଶ୍ନ ୧ ମାର୍କ ବିଶିଷ୍ଟ ରହିଥିବା ବେଳେ ପ୍ରତି ଭୁଲ ଉତ୍ତର ପାଇଁ ୦.୨୫ ଅନୁସାରେ ନେଗେଟିଭ୍ ମାର୍କିଂ ବ୍ୟବସ୍ଥା ରହିଛି ।