ନୂଆଦିଲ୍ଲୀ: ମୁଣ୍ଡରେ ପଗଡି ପିନ୍ଧି ବରବେଶରେ ସଜେଇ ହେଲେ । 150 ଜଣ ବରଯାତ୍ରୀଙ୍କ ସଙ୍ଗେ କନ୍ୟା ଘର ଅଭିମୁଖେ ବାହାରିଲେ । ଭାବିଥିଲେ ମଣ୍ଡପରେ ପହଞ୍ଚିବା ବେଳେକୁ କନ୍ୟା ଘର ଲୋକେ ମର୍ଯ୍ୟାଦାର ସହିତ ସ୍ବାଗତ କରିବେ । ହେଲେ ଉକ୍ତ ସ୍ଥାନରେ ଏଭଳି କିଛି ଘଟିଲା ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ବର ପହଞ୍ଚିଲା ବେଳେକୁ ନା ଥିଲା କନ୍ୟା ନା ଥିଲା ମଣ୍ଡପ । ଉଦାସ ହୋଇ ପୁଣି 150 ଜଣ ବରଯାତ୍ରୀକୁ ଧରି ଶିଶୁପାଳ ହୋଇ ଫେରିଲା ବର । ପଞ୍ଜାବ ଜଳନ୍ଧରରୁ ସାମ୍ନାକୁ ଆସିଛି ଏଭଳି ଘଟଣା । ଉକ୍ତ ବରର ନାମ ଦୀପକ କୁମାର । 3 ବର୍ଷର ସୋସିଆଲ ମିଡିଆ ପ୍ରେମକୁ ଧୋକା ଦେଇଦେଲା ପ୍ରେମିକା ।
ସୂଚନା ଅନୁସାରେ, ପ୍ରଥମେ ଦୀପକଙ୍କର ଗୋଟିଏ ଝିଏ ସହିତ ଇନଷ୍ଟାଗ୍ରାମରେ ପ୍ରେମ ହୋଇଥିଲା । ସୋସିଆଲ ମିଡିଆରେ ମନପ୍ରିତ କୌରଙ୍କ ସହିତ 3 ବର୍ଷ ପ୍ରେମ କରିବା ପରେ ସେମାନେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଦୁହେଁ ଦୁହିଁଙ୍କୁ କେବେ ଦେଖିନଥିବା ହେଁ ପଞ୍ଜାବରେ ବିବାହ କରିବା ପାଇଁ ସ୍ଥିର କରିଥିଲେ । ଗାଇନ୍ ପ୍ୟାଲେସରେ ବିବାହ କରିବା ପାଇଁ ଉଭୟେ ସ୍ଥିର କରିଥିଲେ । ବରଯାତ୍ରୀଙ୍କୁ ନେଇ ବର ଆସିବା ପରେ ଏହି ନାମରେ କୌଣସି ମଣ୍ଡପ ନଥିବା ଜାଣିବାକୁ ପାଇଥିଲେ । ତେବେ କନ୍ୟାକୁ କଲ୍ କରିବା ପରେ ସେ ଅପେକ୍ଷା କର ଆସୁଛି କହି ଫୋନ କାଟି ଦେଇଥିଲା । ବର ଦିନ 12ଠାରୁ ସନ୍ଧ୍ୟା 6 ପର୍ଯ୍ୟନ୍ତ ଅପେକ୍ଷା କରି ରହିଥିଲେ । କିନ୍ତୁ କେହି ଆସିନଥିଲେ । ଫଳରେ ବର ଶିଶୁପାଳ ହୋଇ ଫେରିବା ସହିତ ଥାନାରେ ଏର ମାମଲା ରୁଜୁ କରିଥିବା ଜଣାପଡିଛି । ପୋଲିସ କଲ୍ ରେକର୍ଡକୁ ବାହାର କରି ତଦନ୍ତ ଆରମ୍ଭ କରିଛି ।