ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ଟ୍ରାଫିକ କନଷ୍ଟେବଳ ପ୍ରିଲିମିନାରୀ ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଆସନ୍ତା ଜାନୁଆରୀ ମାସ ଦ୍ୱିତୀୟ ଭାଗରେ ଏହି ପଦ ପାଇଁ ମୁଖ୍ୟ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା କେଉଁ ତାରିଖରେ ହେବ ସେନେଇ ପରବର୍ତ୍ତୀ ସମୟରେ ପ୍ରାର୍ଥୀଙ୍କୁ ସୂଚିତ କରାଇ ଦିଆଯିବ । ତେଣୁ ପ୍ରାର୍ଥୀମାନେ ନିୟମିତ ଭାବେ ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିବାକୁ କୁହାଯାଇଛି । ତେବେ ମୁଖ୍ୟ ଲିଖିତ ପରୀକ୍ଷାରେ କେଉଁ ବିଷୟରୁ କେତୋଟି ପ୍ରଶ୍ନ ଆସିବ ତାହା ଓଏସଏସସି ତରଫରୁ ଘୋଷଣା କରାଯାଇଛି । ଓଡ଼ିଆ ଭାଷାରେ ୧୫ଟି ପ୍ରଶ୍ନ, ଇଂରାଜୀ ଭାଷାରେ ୧୫ଟି ପ୍ରଶ୍ନ, ବୀଜଗଣିତରେ ୧୫ଟି ପ୍ରଶ୍ନ ଓ ସାଧାରଣ ଜ୍ଞାନ ବିଷୟରୁ ୪୦ଟି ପ୍ରଶ୍ନ ଆସିବ ।
ସୂଚନାଯୋଗ୍ୟ ଯେ, ଗତ ମାସ ୧୭ ତାରିଖରେ ଟ୍ରାଫିକ କନଷ୍ଟେବଳ ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଗୋଟିଏ ଶିଟିଂରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସକାଳ ୧୦ଟାରୁ ୧୧.୩୦ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ପ୍ରାର୍ଥୀମାନେ ନଭେମ୍ବର ୧୧ ତାରିଖ ପରଠାରୁ ନିଜ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିଥିଲେ । ଗତ ମାର୍ଚ୍ଚ ୨୮ରୁ ଏପ୍ରିଲ ୨୭ ତାରିଖ ମଧ୍ୟରେ ଏଥିପାଇଁ ଆବେଦନ ଗ୍ରହଣ କରାଯାଇଥିଲା । ପରବର୍ତ୍ତୀ ସମୟରେ ପ୍ରିଲିମିନାରୀ ପରୀକ୍ଷାର ଫାଇନାଲ ଆନସର କୀ’ ଓଏସଏସସି ୱେବସାଇଟରେ ଜାରି କରାଯାଇଥିଲା । ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଉକ୍ତ ଡାଟା ୱେବସାଇଟରେ ଉପଲବ୍ଧ ରହିଥିଲା ।