ୱାର୍ଲ୍ଡ ଚେସ୍ ଚାମ୍ପିୟନଶିପ: ଚୀନର ଡିଙ୍ଗ ଲିରେନଙ୍କୁ ହରାଇଲେ ଭାରତୀୟ ଗ୍ରାଣ୍ଡମାଷ୍ଟର ଗୁକେଶ

ନୂଆଦିଲ୍ଲୀ: ଫିଡେ ୱାର୍ଲ୍ଡ ଚେସ୍ ଚାମ୍ପିୟନଶିପର ୧୧ତମ ମ୍ୟାଚରେ ଶାନଦାର ବିଜୟ ହାସଲ କରିଛି ଭାରତ । ଏହି ବିଜୟ ପରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଗୁକେଶ ଡୋମ୍ମାରାଜୁ ଚୀନର ଡିଙ୍ଗ ଲିରେନଙ୍କ ଠାରୁ ଆଗୁଆ ରହିବା ସହ ଇତିହାସ ରଚିବାର ନିକଟତର ହୋଇଛନ୍ତି । ବିଶ୍ୱ ଚେସ୍ ଚାମ୍ପିୟନ ହେବା ପାଇଁ ଗୁକେଶଙ୍କୁ ଆଉ ମାତ୍ର ୩ଟି ମ୍ୟାଚ ଖେଳିବାକୁ ବାକି ଥିବାବେଳେ ସେ ମାତ୍ର ୧.୫ ପଏଣ୍ଟ ଦୂରରେ ରହିଛନ୍ତି । ପୂର୍ବରୁ ସବୁଠାରୁ କମ୍ ବୟସର ଚ୍ୟାଲେଞ୍ଜ ରେକର୍ଡ ସ୍ଥାପନ କରିଥିବା ୧୮ ବର୍ଷୀୟ ଭାରତୀୟ ଷ୍ଟାର ଗ୍ରାଣ୍ଡମାଷ୍ଟର ଗୁକେଶଙ୍କ ନିକଟରେ ସର୍ବକନିଷ୍ଠ ଭାବେ ଚାମ୍ପିୟନ ହେବାର ସୁଯୋଗ ରହିଛି ।

ଚୀନର ଡିଙ୍ଗ ଲିରେନଙ୍କ ବିପକ୍ଷରେ ଏକାଧିକ ରାଉଣ୍ଡକୁ ଡ୍ର କରିବା ପରେ ଶେଷରେ ଗୁକେଶ ବିଜୟ ହାସଲ କରିଛନ୍ତି ଓ ଟାଇଲ ବିଜୟ ଆଡ଼କୁ ଅଗ୍ରସର ହୋଇଛନ୍ତି । ଭାରତୀୟ ଯୁବ ଗ୍ରାଣ୍ଡମାଷ୍ଟରଙ୍କ ନିକଟରେ ଚେସ ଦୁନିଆରେ ଇତିହାସ ରଚିବା ପାଇଁ ଏକ ବଡ଼ ସୁଯୋଗ ରହିଛି । ସିଙ୍ଗାପୁରରେ ଖେଳାଯାଇଥିବା ଏହି ଚାମ୍ପିୟନଶିପର ୧୧ତମ ମ୍ୟାଚରେ ଆଜି ଗୁକେଶ ଧଳା ଗୋଟିରେ ଖେଳି ଡିଙ୍ଗକୁ ୨୯ତମ ଚାଲରେ ହରାଇ ଏହି ରେସରେ ଗୋଟିଏ ପଏଣ୍ଟ ବୃଦ୍ଧି କରିଥିଲେ । ଗତ କିଛି ରାଉଣ୍ଡରେ କଡ଼ା ଟକ୍କର ପରେ ଆଜି ୨୮ତମ ଚାଲରେ ଚୀନର ଗ୍ରାଣ୍ଡମାଷ୍ଟର ଓ ଡିଫେଣ୍ଡିଂ ଚାମ୍ପିୟନ ଏକ ବଡ଼ ଭୁଲ୍ କରିଦେଇଥିଲେ । ଫଳରେ ନିଜର ପରବର୍ତ୍ତୀ ମୁଭରେ ଗୁକେଶ ଡିଙ୍ଗଙ୍କୁ ରିଜାଇନ କରିବାକୁ ବାଧ୍ୟ କରିଥିଲେ । ଏହା ଗୁକେଶଙ୍କ ଦ୍ୱିତୀୟ ବିଜୟ ଓ ୬.୦-୫.୦ ସହିତ ସେ ପ୍ରଥମ ଥର ଅଗ୍ରଣୀ ହାସଲ କରିଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ଡିଙ୍ଗ ପ୍ରଥମ ମ୍ୟାଚ ଜିତିଥିବା ବେଳେ ଗୁକେଶ ତୃତୀୟ ମ୍ୟାଚ ଜିତିଥିଲେ ଓ ଅନ୍ୟ ସମସ୍ତ ମ୍ୟାଚ ଡ୍ର ରହିଥିଲା । ସର୍ବପ୍ରଥମେ ୭.୫ ପଏଣ୍ଟ ହାସଲ କରିଥିବା ଖେଳାଳିଙ୍କୁ ଚାମ୍ପିୟନ ଭାବେ ଘୋଷଣା କରାଯିବ ।