ଭୁବନେଶ୍ୱର: ଆଜି ନାମାଙ୍କନ ଭରିବେ ସୁଜିତ କୁମାର । ବିଜେପିରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଆଜି ଦିନ ୧୨ଟାରେ ବିଧାନସଭାରେ ପ୍ରାର୍ଥୀପତ୍ର ଦାଖଲ କରିବେ । ସେପ୍ଟେମ୍ବର ୬ରେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ ସୁଜିତ କୁମାର । କହିରଖୁଛୁ ଏପ୍ରିଲ ୨୦୨୬ ଯାଏଁ ସୁଜିତଙ୍କ କାର୍ଯ୍ୟକାଳ ରହିଛି । ନାମାଙ୍କନ ଭରିବା ପୂର୍ବରୁ ଭୁବନେଶ୍ୱର ସ୍ଥିତି ବିଜେପି ପାର୍ଟି ଅଫିସରେ ରାଜ୍ୟ ସଭାପତିଙ୍କ ସହ ଆଲୋଚନା କରିବେ । ଦିଲ୍ଲୀ କାର୍ଯ୍ୟାଳୟରୁ ବିଧିବଦ୍ଧ ଘୋଷଣା ପରେ ନାମାଙ୍କନ ଭରିବେ ସୁଜିତ ।
ବିଜେଡି ଛାଡ଼ିବା ପରେ ତାଙ୍କ ଆସନ ଖାଲି ପଡ଼ିଛି । ଏହି ଆସନ ପାଇଁ ପ୍ରାର୍ଥୀ ଭାବେ ଅନେକ ବରିଷ୍ଠ ନେତାଙ୍କ ନାଁକୁ ନେଇ ଚର୍ଚ୍ଚା ଜାରି ରହିଥିଲା । ତେବେ ପ୍ରାର୍ଥୀପତ୍ର ଦାଖଲ କରିବା ସମୟରେ ତାଙ୍କ ସହ କିଏ କିଏ ଉପସ୍ଥିତି ରହିବେ ତା ଉପରେ ସମସ୍ତଙ୍କ ନଜର ରହିବ । ଭାରତ ନିର୍ବାଚନ ଆୟୋଗର ବିଜ୍ଞପ୍ତି ଅନୁଯାୟୀ ଆସନ୍ତାକାଲି ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ଏବଂ ଡିସେମ୍ବର ୧୧ ତାରିଖ ନାମାଙ୍କନ ଯାଞ୍ଚ ରହିଛି । ଡିସେମ୍ବର ୧୬ ତାରିଖ ଭିତରେ ନାମାଙ୍କନ ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ ।