କମ୍ପୁଛି ଲୋୟର ପିଏମଜି, ବକେୟା ଦରମା ଦାବିରେ ହଜାର ହଜାର ମହିଳାଙ୍କ ମେଳି

ଭୁବନେଶ୍ୱର- ରାଜଧାନୀର ଲୋୟର ପିଏମଜି ଛକରେ ମହିଳାଙ୍କ ଭିଡ । ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର ଭଲି ବିଭିନ୍ନ ସଂଗଠନର ମହିଳା ମେଳି କରିଛନ୍ତି ବକେୟା ଦାବିରେ । ବିଧାନସଭା ଚାଲିଥିବା ବେଳେ ଲୋୟର ପିଏମଜିରେ ବିଭିନ୍ନ ସଂଗଠନର ହଜାର ହଜାର ମହିଳା ଗର୍ଜୁଛନ୍ତି । ସେମାନଙ୍କ ୯ ମାସର ଦରମା ଦେବାକୁ ସେମାନେ ଦାବି କରିଛନ୍ତି ।

ଏମବିକେ, ପ୍ରାଣୀମିତ୍ର, ବ୍ୟାଙ୍କ ମିତ୍ର, କୃଷି ମିତ୍ର ପରି ୬ଟି ସଂଗଠନରେ କାମ କରୁଥିବା ମହିଳାମାନଙ୍କୁ ସେମାନଙ୍କ ୯ ମାସର ବକେୟା ନ ମିଳିବାରୁ ସେମାନେ ଆଜି ପିଏମଜିରେ ଏକଜୁଟ ହୋଇଛନ୍ତି । ଏହି ସବୁ ସଂଗଠନ ମିଶନ ଶକ୍ତି ଅଧୀନରେ ଆସୁଛି । ବିଗତ ସରକାରରେ ମହିଳାଙ୍କୁ ସଶକ୍ତ କରିବାକୁ ଏହି ଭଳି ସଂଗଠନ ଗଠନ କରାଯାଇଥିଲା ।

ତେବେ ବିଗତ ସରକାରର ୩ ମାସର ସହ ଚଳିତ ସରକାର ୬ ମାସର ଦରମା ଦେଇନାହାନ୍ତି । ସରକାରଙ୍କ ବିଭିନ୍ନ ଯୋଜନାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ଏହି ମହିଳାଙ୍କୁ ନିୟୋଜିତ କରାଯାଇଛି । ଏମାନେ ଲୋକଙ୍କ କାମ କରିବା ସହ ଦୁଇ ପଇସା ରୋଜଗାର କରିବା ଲକ୍ଷ୍ୟରେ ଦିନ ରାତି କାମ କରୁଥିବା ବେଳେ ସରକାର ସେମାନଙ୍କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ବିଗତ ସରକାର ସେମାନଙ୍କୁ ଦରମା ଦେଉଥିଲା, ନୂଆ ସରକାର ଦେଉ ନାହିଁ ବୋଲି କିଛି ମହିଳା ଅଭିଯୋଗ ଆଣୁଛନ୍ତି ।

ତେଣୁ ସେମାନଙ୍କ ଦରମା ବ୍ୟାଙ୍କ ଆକାଉଣ୍ଟକୁ ପଠା ନ ଯିବା ପର୍ଯ୍ୟନ୍ତ ସେମାନେ ଏମିତି ଆନ୍ଦୋଳନରେ ବସି ରହିବେ ବୋଲି ସରକାରକୁ ଚେତାବନୀ ଦେଇଛନ୍ତି । ବହୁ ଦୂର ଦୂରାନ୍ତରୁ ଏହି ୬ଟି ସଂଗଠନର ହଜାର ହଜାର ମହିଳା ଆଜି ରାଜଧାନୀରେ ମେଳି କରିଥିବା ଦେଖିବାକୁ ମିଳୁଛି ।