ଅନୁଗୁଳ: (ଓଡ଼ିଶା ଭାସ୍କର) ମାଲିକର ମୃତ ଦେହକୁ ଜଗିଛି କୁକୁର ଆଖିରୁ ଝରୁଛି ଲୁହ। ମାଲିକ ମରିଯାଇଛି। ହେଲେ କୁକୁରଟି ଜଗି ରହିଛି। ସେ ଜାଣିନି ତା ମାଲିକ ଆଉ ଏ ଦୁନିଆରେ ନାହିଁ ବୋଲି। ସେ ଜାଣିନି ତା ମାଲିକ ଆଉ ତାକୁ କେବେ ଖାଇବାକୁ ଦେବନି କି କେବେ କୋଳରେ ଧରି ଗେଲ ବି କରିବନି। ଯେତେ ଭୁକିଲେବି ମାଲିକ ଆଉ ଶୋଇ ଯାଇଥିବା ନିଜରୁ ଉଠୁ ନାହିଁ। ଆଉ ସେଥିପାଇଁ ମାଲିକ ଆସିବା ବାଟକୁ ଚାହିଁ ରହିଛି କୁକୁରଟି। ମୃତୁ ଦେହ ତଳେ ଜଗି ରହିଛି। ମନକୁ ମାରି ଶୋଇ ରହିଛି। କାହାରିକୁ କିଛି ବି କହୁ ନାହିଁ। ମାଲିକ ମରିଗଲା ପରେ ପୋଷା କୁକୁରଟି ମୃତ ଦେହକୁ ଜଗି ରହିଛି।
ସେ ଜାଗା ଛାଡ଼ି କୁଆଡ଼େ ବି ଯାଉ ନାହିଁ। ଆଖିରୁ ଝରି ପଡ଼ୁଛି ଧାର ଧାର ଲୁହ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଅନୁଗୁଳର ରାଣୀଗୋଡ଼ାରେ। ଟିକେ ଏହି ଦୃଶ୍ୟକୁ ଦେଖନ୍ତୁ। କୁକୁରଟି କେମିତି ମନ ଦୁଃଖ କରି ଶୋଇ ରହିଛି। ମାଲିକର ମୃତ ଦେହକୁ ଜଗି ରହିଛି। ସେ ଜାଗା ଛାଡ଼ି କୁଆଡ଼େ ବି ଯାଉ ନାହିଁ। ମନ ଦୁଃଖରେ ମୁହଁକୁ ମାଡ଼ି ରହିଛି। ମୃତ ଦେହ ପାଖକୁ ଯିଏ ଯାଉଛି ତାକୁ କାମୁଡ଼ି ଗୋଡ଼ାଉଛି। ମାଲିକ ତାର କାଇଁ ଉଠୁନି ବୋଲି ସମସ୍ତଙ୍କୁ ଭୁକି ଭୁକି ପଚାରୁଛି। ହେଲେ କିଏବା ତାକୁ କହିବ ତା ମାଲିକ ଆଉ ଏ ଦୁନିଆରେ ନାହିଁ ବୋଲି। ସୂଚନା ମୁତାବକ ରାଣୀଗୋଡ଼ା ଗାଁର ମଣିଆ ବେହେରା ଗାଁ ପୋଖରୀ ହୁଡାରେ ପୋଖରୀ ନିଲମଧାରୀଙ୍କ ଗାଈ ଗୋରୁ ରଖି ଦୁଗ୍ଧ ବ୍ୟବସାୟ କରି ଆସୁଥିଲେ । ତେବେ କିଛିଦିନ ତଳେ ପୋଖରୀ ନିଲାମ ହୋଇଥିଲା ।
ନିଲମଧାରୀ ବଦଳିବା ପରେ ନୁଆଁ ନିଲାମଧାରୀ ସେଠାରୁ ଗାଈ ଗୋରୁ ନେଇ ଯିବାକୁ ଧମକ ଦେବା ସହ ମଣିଆଙ୍କୁ ଅନେକ ସମୟରେ ଗାଳି ଗୁଲଜ କରୁଥିଲେ ବୋଲି ଅଭିଯୋଗ ହୋଇଛି । ତେବେ ଆଜି ସକାଳେ ମଣିଆଙ୍କ ମୃତଦେହ ପୋଖରୀ ହୁଡାରେ ଥିବା ଏକ ଜାମୁ ଗଛରେ ଝୁଲୁଥିବା ସ୍ଥାନୀୟ ଲୋକ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପ୍ରଚାରିତ ହେବା ପରେ ଲୋକଙ୍କ ଭିଡ଼ ଜମିଥିଲା । ସେହି ସମୟରେ ମଣିଆଙ୍କ ପୋଷା କୁକୁର ସ୍ୟାଣ୍ଡି , ଝୁଲନ୍ତା ମୃତଦେହ ତଳେ ଶୋଇ ରହିଥିବା ଦେଖା ଯାଇଥିଲା । ମୃତଦେହ ପାଖକୁ କେହି ଯିବାକୁ ଚେଷ୍ଟା କଲେ ତାକୁ କାମୁଡି ଗୋଡ଼ାଇଥିଲା । ଖବର ପାଇ ଅନୁଗୁଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ହେଲେ ପୁଲିସ ମଧ୍ୟ ପାଖକୁ ଯାଇ ପାରି ନାହିଁ ।