ମିଶନ ଶକ୍ତି ମହିଳାଙ୍କ ଆନ୍ଦୋଳନ, ମୁହାଁମୁହିଁ ହେଲେ ଶାସକ-ବିରୋଧୀ

ଭୁବନେଶ୍ବର: 3 ଦଫା ଦାବି ନେଇ ଲୋୟର ପିଏମଜିରେ ଅଲ ଓଡିଶା ଜିପିଏଲ ଏଫ ମିଶନ ଶକ୍ତି ସାମ୍ମୁଖ୍ୟ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯାଇଛି । ଗାନ୍ଧି ମାର୍ଗରେ ଗର୍ଜୁଛନ୍ତି ମିଶନ ଶକ୍ତି ମହିଳା । ତେବେ ଏହାକୁ ନେଇ ଆଜି ମୁହାଁମୁହିଁ ହୋଇଛନ୍ତି ଶାସକ ଏବଂ ବିରୋଧୀ ଦଳ । ଏନେଇ ପ୍ରଥମେ ମୁହଁ ଖୋଲିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ମିଳନ ଶକ୍ତି ମହିଳାଙ୍କ ଧାରଣା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କହିଛ୍ତି, ଗତକାଲି ବିଧାନସଭା ଏହାକୁ ନେଇ ଚର୍ଚ୍ଚା ହୋଇଛି । କେହି ମଧ୍ୟ ମହିଳାଙ୍କୁ ବିଭ୍ରାନ୍ତ କରନ୍ତୁ ନାହିଁ । ମହିଳାଙ୍କର ସ୍ବାର୍ଥ ପାଇଁ ଯାହା କରିବା ଉଚିତ ସେହି ପଦକ୍ଷେପ ନିଆଯିବ । କାହା କଥାରେ ପଡି ରାସ୍ତାରେ ଗଡିବାର ଆବଶ୍ୟକତା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ମିଶନ ଶକ୍ତି ମହିଳାଙ୍କ ଧାରଣାକୁ ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ କହିଛନ୍ତି, ବିଜେପି ସରକାର ମହିଳାଙ୍କ ଦରମା ରୋକିବା ପାଇଁ ଷଡଯନ୍ତ୍ର କରୁଛନ୍ତି । ଏହାକୁ ବିଜେଡି ଦୃଢ ନିନ୍ଦା କରୁଛି । ପ୍ରାୟ 70 ଲକ୍ଷରୁ ଅଧିକ ମହିଳା ମିଶନ ଶକ୍ତିରେ କାମ କରୁଛନ୍ତି । ବିଜେଡି ସର୍ବଦା ମିଶନ ଶକ୍ତି ସହିତ ରହିଛନ୍ତି କହିଲେ ନବୀନ ।

ତେବେ ସମୟ ଅନୁସାରେ ଆନ୍ଦୋଳନ ଉଗ୍ରରୂପ ନେଉଥିବା ଦେଖାଯାଇଛି । ଆଜି ମଧ୍ୟ ଲୋୟର ପିଏମଜିରେ ମିଶନ ଶକ୍ତି ମହିଳାଙ୍କର ଗର୍ଜନ ଦେଖିବାକୁ ମିଳିଛି । ତେବେ ଏହି ଆନ୍ଦୋଳନରେ ଆଜି ବିରୋଧୀ ସାମିଲ ହୋଇଛନ୍ତି । କଂଗ୍ରେସ ଏବଂ ବିଜେଡି ମଧ୍ୟ ଆଜି ଧାରଣାରେ ସାମିଲ ହୋଇଛନ୍ତି । 8 ମାସର ବକେୟା ପାଉଣା ଦେବା ନେଇ ଗର୍ଜୁଛନ୍ତି ମହିଳା ।