Big News- ଘରୋଇ ହିଂସା ଆଇନର ଦୁରୁପଯୋଗକୁ ନେଇ ସୁପ୍ରିମ କୋର୍ଟଙ୍କ କଡା ଆଭିମୁଖ୍ୟ

ନୂଆଦିଲ୍ଲୀ– ମହିଳାଙ୍କ ଅଧିକାର ଓ ସୁରକ୍ଷା ପାଇଁ ଲାଗୁ ହୋଇଥିବା ଘରୋଇ ହିଂସା ଆଇନର ଦୁରୁପଯୋଗ ଉପରେ ସୁପ୍ରିମ କୋର୍ଟ ଦେଲେ ବଡ ରାୟ । ଏହି ଆଇନରେ ପରିବର୍ତ୍ତନ ଆଣିବାର ସମୟ ଅନୁଭବ କଲେ କୋର୍ଟ । ଆଇନର ଦୁରୁପଯୋଗ ଉପରେ ଚିନ୍ତା ପ୍ରକଟ କରିବା ସହ ଆଇନରେ ସଂଶୋଧନ ଆଣିବାର ଆବଶ୍ୟକତା ଥିବାରୁ ଏହା ଉପରେ ସଂସଦ ତୁରନ୍ତ ପଦକ୍ଷେପ ନେବାକୁ କୋର୍ଟ କହିଛନ୍ତି ।

ମଙ୍ଗଳବାର ଥିଲା ଆଇନଗତ ଦୃଷ୍ଟିରୁ ଏକ ବିଶେଷ ଦିନ । ମହିଳାଙ୍କ ସୁରକ୍ଷା ପାଇଁ ଥିବା ଧାରା ୪୯୮ (ଏ)ର ଦୁରୁପଯୋଗ ପାଇଁ ଜଣେ ଏଆଇ ଇଞ୍ଜିନିୟର ଆତ୍ମହତ୍ୟା କରିଥିବା ବେଳେ ଅନ୍ୟ ଏକ ମାମଲାରେ ସୁପ୍ରିମ କୋର୍ଟ ଶୁଣାଣି କରି ଚିନ୍ତା ପ୍ରକଟ କରିଛନ୍ତି । ଜଷ୍ଟିସ ବିଭି ନାଗରତ୍ନ ଓ ଜଷ୍ଟିସ ଏନ କୋଟିଶ୍ୱର ସିଂହଙ୍କ ପୀଠ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି । ଦାମ୍ପତ୍ୟର ମତଭେଦ ପାଇଁ ପତ୍ନୀଙ୍କ ଦ୍ୱାରା ମିଛରେ ପତି ଓ ତାଙ୍କ ପରିବାର ବର୍ଗଙ୍କ ବିରୋଧରେ ହେଉଥିବା ମାମଲାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

ଶୁଣାଣି କାଳରେ ଖଣ୍ଡପୀଠ କହିଛନ୍ତି . ଧାରା ୪୯୮-ଏ ପତ୍ନୀ ଓ ତାଙ୍କ ପରିବାର ପାଇଁ ଯେଷାକୁ ତେଷା କରିବାର ହତିଆର ପାଲଟି ଯାଇଛି । ଏହି ଆଇନକୁ ଆୟୁଧ କରି ପତ୍ନୀ ଓ ସେମାନଙ୍କ ପରିବାର ବର୍ଗ ସ୍ୱୀମୀ ତଥା ତାଙ୍କ ଘର ଉପରେ ପ୍ରତିଶୋଧ ନେଉଛନ୍ତି । ତେଲେଙ୍ଗାନାର ଏକ ମାମଲାର ଶୁଣାଣି କାଳରେ ଏମିତି ଚିନ୍ତାବ୍ୟକ୍ତ କରିଛନ୍ତି କୋର୍ଟ । ଏହି ମାମଲାରେ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଛାଡପତ୍ର ମାଗିଥିଲେ । ଏହା ପରେ ସ୍ତ୍ରୀଙ୍କ ତରଫରୁ ଥାନାରେ ସ୍ୱାମୀ ତଥା ତାଙ୍କ ପରିବାର ଲୋକଙ୍କ ବିରୋଧରେ ଘରୋଇ ହିଂସା ମାମଲା ଦାୟର କରିଦେଲେ । ଏହି ମାମଲା ରଦ୍ଦ କରିବା ଆବଦେନ ସହ ସ୍ୱାମୀ ତେଲେଙ୍ଗାନା ହାଇକୋର୍ଟକୁ ଗଲେ । କିନ୍ତୁ ହାଇକୋର୍ଟ ମାମଲା ରଦ୍ଦ କରିବାକୁ ମନା କରିଦେଲେ । ତେଣୁ ଉକ୍ତ ବ୍ୟକ୍ତି ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

କୋର୍ଟ ହାଇକୋର୍ଟଙ୍କ ରାୟକୁ ଖାରଜ କରିବା ସହ ମହିଳାଙ୍କ ଦ୍ୱାରା ଘରୋଇ ହିଂସା ଆଇନର ଦୁରୁପଯୋଗକୁ ନେଇ କଡା ଆଭିମୁଖ୍ୟ ପ୍ରକାଶ କରିଛନ୍ତି । ଏହି ଆଇନ ପାଇଁ ବହୁ ପୁରୁଷ ତଥା ସେମାନଙ୍କ ପରିବାର ଅଯଥାରେ ନିର୍ଯାତିତ ହେଉଥିବା କହିଛନ୍ତି କୋର୍ଟ । ଏଥିସହ, ତୁରନ୍ତ ଏହି ଆଇନରେ ସଂଶୋଧନ କରିବାକୁ ସରକାରଙ୍କୁ କହିଛନ୍ତି । ଏହା ପୂର୍ବରୁ ମଧ୍ୟ କୋର୍ଟ ସଂସଦକୁ ଧାରା ୪୯୮-ଏ ସଂଶୋଧନ ପାଇଁ ପରାମର୍ଶ ଦେଇସାରିଛନ୍ତି ।