ନୂଆଦିଲ୍ଲୀ- ଏବେ ମୋବାଇଲ ଏକ ଅତ୍ୟାବଶ୍ୟକୀୟ ସାମଗ୍ରୀରେ ପରିଣତ ହୋଇଛି । ଏହା ବିନା ଜୀବନ ଯେମିତି ଅସମ୍ପୂର୍ଣ୍ଣ । ହେଲେ ଏହି ମୋବାଇଲ ଅଧିକ ବ୍ୟବହାର ପାଇଁ ଜୀବନ ପ୍ରତି ବିପଦ ଡାକି ଆଣିବ । ଡାକ୍ତରଙ୍କ ଦ୍ୱାରା ମୋବାଇଲ ବ୍ୟବହାରକୁ ନେଇ ହୋଇଥିବା ଏକ ସର୍ଭେରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ଅତି ସାଙ୍ଘାତିକ ।
ରିପୋର୍ଟ ମୁତାବକ ମୋବାଇଲର ମାତ୍ରାଧିକ ବ୍ୟବହାର ପାଇଁ ଲୋକଙ୍କ ଭିତରେ ବ୍ରେନ ଟ୍ୟୁମରର ସମ୍ଭାବନା ୭୪ ପ୍ରତିଶତ ବଢିଯାଉଛି । ୮୦ ପ୍ରତିଶତ ଲୋକ ଶୁଣିବା ଶକ୍ତି ହରାଇବସୁଛନ୍ତି ଓ ୩୭ ପ୍ରତିଶତ ପୁରୁଷଙ୍କ ଭିତରେ ବନ୍ଧ୍ୟାଦୋଷ ଦେଖାଦେଇଥିଲା । ସର୍ଭେରେ ସାମିଲ ହୋଇଥିବା ୪୫ ପ୍ରତିଶତ ଫୋନ ପାଇଁ ହୃଦ ସମ୍ବନ୍ଧୀୟ ରୋଗର ଶିକାର ହୋଇଥିଲେ ।
ଏହା ବ୍ୟତୀତ ମୋବାଇଲ ବ୍ୟବହାର ଦ୍ୱାରା କାନ୍ଧ ଓ ବେକରେ ଯନ୍ତ୍ରଣା ହୋଇଥାଏ । ମୋବାଇଲ ଦେଖିବା ସମୟରେ ସାଧାରଣତଃ ବ୍ୟକ୍ତି ମୋବାଇଲ ଆଡକୁ ନଇଁ ରହୁଥିବାରୁ କାନ୍ଧର ମାଂସପେଶୀ କଠୋର ହୋଇଯାଏ । ଏହି ସମସ୍ୟା ପ୍ରତି ହେଳା କଲେ ଆଗକୁ ଏହା ଭୟଙ୍କର ଯନ୍ତ୍ରଣା ଦେଇଥାଏ ।
ବହୁ ସମୟ ଧରି ମୋବାଇଲ ବ୍ୟବହାର କରିବା ସହ ସଠିକ ଭାବେ ନ ବସିବା କାରଣରୁ ପିଠିରେ ଯନ୍ତ୍ରଣା ହୋଇଥାଏ । ମେରୁଦଣ୍ଡ ହାଡ ଉପରେ ପ୍ରଭାବ ପଡିବା ପାଇଁ ବ୍ୟାକ୍ ପେନ ହେବା ସମ୍ଭାବନା ଥାଏ ।
ହାତରେ ବହୁ ସମୟ ଧରି ଫୋନ ଧରିବାକୁ ହୋଇଥାଏ । ତେଣୁ ହାତର ମାଂସପେଶୀ ସବୁ ଟାଣି ହେବା ଆରମ୍ଭ କରେ । ଆଙ୍ଗୁଳି ଟାଣିହୋଇ ଯାଏ ଓ କଷ୍ଟ ମଧ୍ୟ ହୁଏ ।
ଦୀର୍ଘ ସମୟ ମୋବାଇଲ ସ୍କ୍ରିନକୁ ଦେଖିବା ଦ୍ୱାରା ଆଖିରେ ଜ୍ୱଳନ ହୁଏ । ଧୀରେ ଧୀରେ ଆଖିକୁ ଭଲ ଦେଖାଯାଏ ନାହିଁ । ମୁଣ୍ଡ ବିନ୍ଧେ । ଏମିତି କି ମୁଣ୍ଡ ଯନ୍ତ୍ରଣା ଅସହ୍ୟ ହୋଇଯାଏ ।
ଏସବୁ ବାଦ ଅଧିକ ସମୟ ଫୋନ ଦେଖିବା କାରଣରୁ ବ୍ୟକ୍ତି ବାହାର ଦୁନିଆରୁ ଅଲଗା ହୋଇଯାଏ । ସ୍ମରଣ ଶକ୍ତି ହ୍ରାସ ପାଏ । ତେଣୁ ମୋବାଇଲ ଯେତେ କମ ସମ୍ଭବ ସେତିକି ବ୍ୟବହାର କରିବା ଦରକାର ।