IAS ସ୍ତରରେ ଅଦଳବଦଳ: ବିଷ୍ଣୁପଦ ସେଠୀଙ୍କୁ ମିଳିଲା ନୂଆ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ସ୍ତରରେ ରାଜ୍ୟ ସରକାର ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି । ୩ ଜଣ ଆଇଏଏସ୍ ଅଧିକାରୀଙ୍କ ବଦଳି କରି ନୂଆ ସ୍ଥାନରେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ତେବେ ନିକଟରେ ଟେଣ୍ଡର ଫିକ୍ସିଂ ମାମଲାକୁ ନେଇ ଚର୍ଚ୍ଚାରେ ରହିଥିବା ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ସରକାର ଏକ ନୂଆ ଦାୟିତ୍ୱ ଦେଇଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁ ନୂଆ ସ୍ଥାନକୁ ଟ୍ରାନ୍ସଫର କରିଛନ୍ତି ରାଜ୍ୟ ସରକାର । ବିଷ୍ଣୁପଦଙ୍କୁ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି । ତେବେ ଓଏସଟି ଭାବେ ଟ୍ରାନ୍ସଫର ହୋଇଥିଲେ ବି ବିଷ୍ଣୁପଦଙ୍କ ପ୍ରମୁଖ ସଚିବ ପାହ୍ୟା ବଜାୟ ରହିବ ବୋଲି କୁହାଯାଇଛି । ବିଷ୍ଣୁପଦ ପୂର୍ବରୁ ସାମାଜିକ ସୁରକ୍ଷା ଓ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱରେ ରହିବା ସହ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକ ବିଭାଗ ଏବଂ ଏସଟି ଆଣ୍ଡ ଏସସି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ଶ୍ରେଣୀ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ରହିଥିଲେ । ଏବେ ବିଷ୍ଣୁପଦ ନୂଆ ଦାୟିତ୍ୱ ସମ୍ଭାଳିବେ । ସେହିପରି ସଞ୍ଜୀବ କୁମାର ମିଶ୍ରଙ୍କୁ ଏସଟି ଆଣ୍ଡ ଏସସି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ଶ୍ରେଣୀ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି । ମନୋଜ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ପେଶାଲ ସେକ୍ରେଟାରୀ ଭାବେ ନିଯୁକ୍ତି ଦିଆଯାଇଛି ।