ଶିମିଳିପାଳ: ଶିମିଳିପାଳ ଏବେ ଖାଁ ଖାଁ ଲାଗୁଛି । ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ପକ୍ଷରୁ ଯେଉଁ ଯୋଜନା ପ୍ରସ୍ତୁତ କରାଯାଇଥିଲା, ତାହା ଫେଲ୍ ମାରିଥିବା ସ୍ପଷ୍ଟ ଭାବେ ଜଣାପଡ଼ୁଛି । କାରଣ ଶିମିଳିପାଳ ଛାଡ଼ିସାରିଲେଣି ଦୁଇ ବାଘୁଣୀ ଜିନ୍ନତ ଏବଂ ଯମୁନା । ଜିନ୍ନତ ଶିମିଳିପାଳରୁ ପାଖାପାଖି ୧୫ ଦିନ ହେବ ଝାଡଖଣ୍ଡ ଚାଲିଯିବା ପରେ ଏବେ ଯମୁନା କୂଳଡ଼ିହା ଚାଲିଯାଇଛି । ବନବିଭାଗ ସେମାନଙ୍କ ଉପରେ ତିକ୍ଷଣ ନଜର ରଖିଛି ।
ଦୁଇଟିଯାକ ବାଘୁଣୀ ଏବେ ଶିମିଳିପାଳ ଛାଡ଼ି ଖୋଜୁଛନ୍ତି ନିଜର ନୂଆ ଠିକଣା । ଅଭୟାରଣ୍ୟ କର୍ତ୍ତୃପକ୍ଷ ଶିମିଳିପାଳରେ ବାଘ ବଂଶ ବୃଦ୍ଧି ନେଇ କରିଥିବା ଯୋଜନା ଉପରେ ପାଣି ପଶିଯାଇଛି । ହେଲେ ଶିମିଳିପାଳ ଛାଡ଼ି ଚାଲିଯିବାର ପ୍ରମୁଖ କାରଣ କ’ଣ ଥାଇପାରେ ବୋଲି ଭାଲେଣିରେ ପଡ଼ିଯାଇଛନ୍ତି କର୍ମଚାରୀ । ଜିନ୍ନତ ଅଖିଆ ଅପିଆ ଝାଡ଼ଖଣ୍ଡରେ ବୁଲୁଥିବାବେଳେ ଯମୁନା ଏବେ ଠିକ୍ ଥିବା କୁହାଯାଉଛି । ଶିମିଳିପାଳର ଅଭୟାରଣ୍ୟ ଏବଂ ବନ ବିଭାଗର ୨ଟି ସ୍ୱତନ୍ତ୍ର ଟିମ୍ ଦୁଇ ବାଘୁଣୀଙ୍କ ଉପରେ ନଜର ରଖିଛନ୍ତି । ଖାଦ୍ୟର ଅନ୍ୱେଷଣ କିମ୍ବା ଅଣ୍ଡିରା ବାଘ ଆଶାରେ ବାଘୁଣୀମାନେ ଶିମିଳିପାଳ ଛାଡ଼ିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।