ପୁରୀ: ଆସନ୍ତା ବୁଧବାର ଦିନ ବଡ଼ଦିନ । ଡିସେମ୍ବର ୨୫ ତାରିଖକୁ ଦେଶ ବିଦେଶରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିବସ ରୂପେ ପାଳନ କରୁଥିବା ବେଳେ ଓଡ଼ିଆମାନେ ଏହାକୁ ବଡ଼ଦିନ ରୂପେ ପାଳନ କରିଥାଆନ୍ତି । କୁହାଯାଏ ଯେ, ଏଦି ଦିନଠାରୁ ଦିନ ବଡ଼ ହୋଇଥାଏ । ତେବେ ଏହି ଦିନ ପୁରୀ ବଡ଼ ଦେଉଳରେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡରେ ଅସ୍ଥାୟୀ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ଏହି ଦିନ ମହାପ୍ରଭୁଙ୍କ ଦର୍ଶନ ଲାଗି ମରିଚି କୋଟଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଧାଡ଼ି ବ୍ୟବସ୍ଥା ହୋଇଛି । ତେବେ ଗତବର୍ଷଠାରୁ ଏଥର ପର୍ଯ୍ୟଟକଙ୍କ ଭିଡ଼ ଦୁଇଗୁଣା ହେବ ବୋଲି ଆକଳନ କରାଯାଇଛି । ନୂଆବର୍ଷ ଏବଂ ବଡ଼ଦିନ ପାଇଁ ପୁରୀ-କୋଣାର୍କରେ ପ୍ରବଳ ଭିଡ଼ ଦେଖିବାକୁ ମିଳେ । ତେବେ ଏହି ପର୍ଯ୍ୟଟକଙ୍କ ଭିଡ଼କୁ ଦୃଷ୍ଟି ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ଗ୍ରହଣ କରିଛି ।
ସେହିପରି ନୂଆବର୍ଷରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ନୂଆ ବ୍ୟବସ୍ଥା ଜାରି ହୋଇଛି। ନୂଆ ଆଇନ ଅନୁଯାୟୀ, ନୂଆ ବର୍ଷ ଅର୍ଥାତ ୨୦୨୫ ବର୍ଷ ଜାନୁଆରୀ ୧ ତାରିଖଠାରୁ ଶ୍ରୀମନ୍ଦିରରେ ଧାଡ଼ିରେ ଦର୍ଶନ କରିବେ ଭକ୍ତ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ, ୨୭ ଏବଂ ୨୮ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା କ୍ରିୟାନୁୟନ ହୋଇଯିବ। ଡିସେମ୍ବର ୩୦ ଓ ୩୧ରେ ପରୀକ୍ଷା ମୂଳକ ଭାବେ ଧାଡ଼ି ଦର୍ଶନ ହେବ। ସାତ ପାହାଚ ଦେଇ ପ୍ରବେଶ କରିବେ ଭକ୍ତ। ସେହିପରି ଘଣ୍ଟି ଏବଂ ଗାରଦ ଦ୍ୱାର ଦେଇ ପ୍ରସ୍ଥାନ କରିବେ।