(Video): ରସୁଣ କିଲୋ କେତେ ? ପରିବା ମଣ୍ଡିରେ ରାହୁଲ ଗାନ୍ଧୀ, ଗ୍ରାହକଙ୍କୁ ପଚାରି ବୁଝିଲେ ସମସ୍ୟା

ନୂଆଦିଲ୍ଲୀ: ଦିନକୁ ଦିିନ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଥିମଧ୍ୟରେ ଦିଲ୍ଲୀ ସ୍ଥିତ ଏକ ପରିବା ମଣ୍ଡିରେ ପହଞ୍ଚିଥିଲେ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ତାଙ୍କୁ ପରିବା ମଣ୍ଡିରେ ଦେଖି ଲୋକମାନେ ଚକିତ ହୋଇଥିଲେ । ମଣ୍ଡିରେ ରାହୁଲ ଦୋକାନୀଙ୍କ ଠାରୁ ପରିବା ମୂଲ୍ୟ ପଚାରି ବୁଝିବା ସହ ଗ୍ରାହକଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ଏନେଇ ରାହୁଲ ଗାନ୍ଧୀ ‘ଏକ୍ସ’ରେ ଏକ ଭିଡିଓ ଶେୟାର କରିଛନ୍ତି ।

ଆଜି ଦିଲ୍ଲୀ ସ୍ଥିତ ଗିରି ନଗର ସାମ୍ନାରେ ହନୁମାନ ମନ୍ଦିର ପରିବା ମଣ୍ଡିରେ ରାହୁଲ ଗାନ୍ଧୀଙ୍କୁ ଦେଖିବାକୁ ମିଳିଥିଲା । ସେଠାରେ ସେ ରସୁଣ, ଟମାଟୋ, ଆଦି ବିଭିନ୍ନ ପରିବାର ମୂଲ୍ୟ ପଚାରୁଥିବାର ଦେଖିବାକୁ ମିିଳିଛି । ରାହୁଲ ଗାନ୍ଧୀ ‘ଏକ୍ସ’ରେ ଏକ ଭିଡିଓ ଶେୟାର କରି କ୍ୟାପସନରେ ଲେଖିଛନ୍ତି, ‘ପୂର୍ବରୁ ରସୁଣ ମୂଲ୍ୟ ୪୦ ଟଙ୍କା ଥିଲା ବର୍ତ୍ତମାନ ଏହା ୪୦୦ଟଙ୍କାରେ ପହଞ୍ଚିଛି । ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଖାଉଟିଙ୍କ ରୋଷେଇର ବଜେଟ୍ ବିଗାଡ଼ି ଦେଇଛି- କୁମ୍ଭକର୍ଣ୍ଣ ନିଦ୍ରାରେ ସରକାର ।’ତାଙ୍କ ସହ କିଛି ମହିଳା ଗ୍ରାହକ ମଧ୍ୟ ନଜର ଆସିଛନ୍ତି ଯେଉଁମାନେ ପରିବା ଦୋକାନୀ ସହ ବିଭିନ୍ନ ପରିବା ରେଟକୁ ନେଇ ମୂଲଚାଲ କରୁଛନ୍ତି । ଭିଡିଓରେ ଦର୍ଶାଯାଇଛି କି ଜଣେ ମହିଳା ପରିବା ଦୋକାନୀକୁ ପଚାରୁଛନ୍ତି ପରିବା ମୂଲ୍ୟ ଏତେ ବୃଦ୍ଧି କିପରି ପାଇଲା ? କୌଣସି ପରିବା ୩୦-୩୫ ଟଙ୍କାର ମଧ୍ୟରେ ନାହିଁ । ୪୦-୪୫ଟଙ୍କା ଉପରେ ସବୁ ପରିବା ମୂଲ୍ୟ । ମହିଳାଙ୍କ ପ୍ରଶ୍ନର ଉତ୍ତରରେ ଉକ୍ତ ଦୋକାନୀ ଜଣଙ୍କ କହୁଛନ୍ତି ଏହା ପୂର୍ବରୁ ମୁଦ୍ରାସ୍ଫୀତି କେବେ ବୃଦ୍ଧି ପାଇନାହିଁ । ରାହୁଲ ଗାନ୍ଧୀ, ରସୁଣ କିଲୋ କେତେ ପଚାରିବାରୁ ଦୋକାନୀ ଜଣଙ୍କ ୪୦୦ ଟଙ୍କା କହୁଛନ୍ତି । ଏହା ବାଦ୍ ରାହୁଲ ଗାନ୍ଧୀ ଜଣେ ମହିଳାଙ୍କୁ ବଢ଼ୁଥିବା ମୁଦ୍ରାସ୍ଫୀତି ବିଷୟରେ ପଚାରିଥିଲେ । ଏହାର ଉତ୍ତରରେ ମହିଳା କହିଥିଲେ କି ସରକାର ଏଥିପ୍ରତି ଧ୍ୟାନ ଦେଉନାହାଁନ୍ତି । ସେମାନେ କେବଳ ନିଜ ଭାଷଣକୁ ନେଇ ଚିନ୍ତିତ । ସାଧାରଣ ଜନତାଙ୍କ ଖାଇବାକୁ ନେଇ ସେମାନେ ଗୁରୁତ୍ୱ ଦେଉନାହାଁନ୍ତି । ଯେଉଁ ଜିନିଷ ପ୍ରଥମେ ୫୦୦ ଟଙ୍କାରେ ଉପଲବ୍ଧ ହେଉଥିଲା ତାହାର ମୂଲ୍ୟ ଆଜି ୧୦୦୦ଟଙ୍କା ହୋଇଯାଇଛି । ଖର୍ଚ୍ଚ କମ୍ କରିବାକୁ ଯାଇ ଖାଉଟିମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।