ଓଡ଼ିଶା ଭାସ୍କର: ଆଜି ତୁଳସୀ ପୂଜନ ଦିବସ । ମାଁ ତୁଳସୀ ଦେବୀଙ୍କର ଘରେ ଘରେ ପୂଜନ, ଅର୍ଚ୍ଚନା, ବନ୍ଦନା ଏହି ଦିବସରେ କରାଯାଏ। ପଦ୍ମ ପୁରାଣରେ ଲେଖାଯାଇଛି ଯେ ତୁଳସୀର ପତ୍ର,ଫୁଲ,ଫଲ,ଶାଖା,ଛଲି, ଗଣ୍ଡି ଓ ମାଟି ଆଦି ସବୁ ପବିତ୍ର ଅଟେ । କଳିଯୁଗରେ ତୁଳସୀ ପୂଜନ , କୀର୍ତ୍ତନ, ଭଜନ, ଧାରଣ କରିବା ଦ୍ୱାରା ସମସ୍ତ ପାପ ଭସ୍ମୀଭୂତ ହୁଏ ତଥା ମୋକ୍ଷ ପ୍ରାପ୍ତି ହୁଏ। ଏଥିସହ କଳିଯୁଗରେ ତୁଳସୀ ପୂଜନ , କୀର୍ତ୍ତନ, ଭଜନ, ଧାରଣ କରିବା ଦ୍ୱାରା ସମସ୍ତ ପାପ ଭସ୍ମୀଭୂତ ହୁଏ ତଥା ମୋକ୍ଷ ପ୍ରାପ୍ତି ହୁଏ। ପ୍ରତିଦିନ ତୁଳସୀ ପତ୍ର ସେବନ କରିବା ଦ୍ଵାରା ସ୍ମରଣ ଶକ୍ତି ପ୍ରଖର ହୁଏ ତଥା ରୋଗ ପ୍ରତିରୋଧକ ଶକ୍ତି ବୄଦ୍ଧି ହୁଏ। ତୁଳସୀ ଦିନରେ ଏବଂ ରାତିରେ ମଧ୍ୟ ଅମ୍ଳଜାନ ଉସ୍ବର୍ଜନ କରେ। ତେଣୁ ପରିବେଶ ପ୍ରଦୂଷଣ ରୁ ରକ୍ଷା ପାଇବା ପାଇଁ ତୁଳସୀ ରୋପଣ, ପୂଜନ, ଧାରଣ ତଥା ସମ୍ବର୍ଦ୍ଧନ ପ୍ରତ୍ୟେକ ମଣିଷର କର୍ତ୍ତବ୍ୟ।
ପୁରାଣ ପୃଷ୍ଠାରେ ତୁଳସୀ: ବ୍ରହ୍ମବୈବର୍ତ୍ତ ପୁରାଣରେ ବର୍ଣ୍ଣନା କରାଯାଇଛି ଯେ, ଦକ୍ଷସାବର୍ଣ୍ଣିଙ୍କ ବଂଶଧର ଧର୍ମପରାୟଣ ରାଜା ଧର୍ମଧ୍ୱଜ ଓ ରାଣୀ ମାଧବୀଙ୍କ ଗର୍ଭରୁ ଲକ୍ଷ୍ମୀ ସ୍ବରୂପିଣୀ ସର୍ବଗୁଣସମ୍ପନ୍ନା ପଦ୍ମିନୀ କନ୍ୟା ‘ତୁଳସୀ’ କାର୍ତ୍ତିକ ପୂର୍ଣ୍ଣିମା ଶୁକ୍ରବାରରେ ଶ୍ରୀକୃଷ୍ଣଙ୍କ ରାସସ୍ଥଳୀ ବୃନ୍ଦାବନରେ ଜନ୍ମ ଗ୍ରହଣ କରିଥିଲେ। ଗୋଲକ ବିହାରୀଙ୍କ ଅଷ୍ଟ ଗୋପପାର୍ଷଦ ମଧ୍ୟରୁ ‘ସୁଦାମା’ ଶ୍ରୀରାଧାଙ୍କ ଦ୍ୱାରା ଶାପଗ୍ରସ୍ତ ହୋଇ ଶଙ୍ଖଚୂଡ ନାମକ ଦାନବ ରୂପେ ଜନ୍ମଗ୍ରହଣ କରିଥିଲେ। ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ନିର୍ଦ୍ଦେଶରେ ତୁଳସୀ ସେହି ଶଙ୍ଖଚୂଡକୁ ବିବାହ କରିଥିଲେ। ବିଷ୍ଣୁ ଶଙ୍ଖଚୂଡକୁ ବଧ କରନ୍ତେ, ପୂର୍ବଜନ୍ମର ବୃନ୍ଦାଙ୍କ ପରିବର୍ତ୍ତିତ ରୂପ ତୁଳସୀ ବିଷ୍ଣୁଙ୍କୁ ଶିଳାରୂପ ହେବାର ଅଭିଶାପ ଦେଇଥିଲେ। ମାୟାଧରଙ୍କ ନିର୍ଦ୍ଦେଶରେ ତୁଳସୀ ଦିବ୍ୟସ୍ବରୂପ ଗ୍ରହଣ କରି ତପସ୍ୟାର ଫଳସ୍ବରୂପ ଗୋଲକବିହାରୀଙ୍କ ସହ ବୈକୁଣ୍ଠରେ ଲକ୍ଷ୍ମୀଙ୍କ ସହ ବିଷ୍ଣୁପ୍ରିୟା ହୋଇ ରହିଲେ। ତୁଳସୀଙ୍କ ମରଶରୀର ଗଣ୍ଡକୀ ନଦୀ ହେଲା, କେଶରାଶିରୁ ତୁଳସୀ ବୃକ୍ଷ ସୃଷ୍ଟି ହେଲା।
ମହାପ୍ରଭୁ ତୁଳସୀପ୍ରିୟ:
ଲୀଳାମୟ ଠାକୁର ଶ୍ରୀଜଗନ୍ନାଥଙ୍କୁ ରସିକରାଜ କୁହାଯାଏ। ତାଙ୍କର ବିଭିନ୍ନ ନୀତି ଓ ବେଶରେ ଭିନ୍ନ ଭିନ୍ନ ରଙ୍ଗ ଓ ବାସ୍ନାର ଫୁଲ ଲାଗିଥାଏ। ଶ୍ରୀମନ୍ଦିରରେ ହେଉ କି ପହଣ୍ଡିରେ ଅବା ରଥ ଉପରେ ଫୁଲରେ ସୁସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ତେବେ ମଥାରେ ସର୍ବଦା ତୁଳସୀ ଶୋଭାପାଏ। ତୁଳସୀ ଓ ଦୟଣାପ୍ରିୟ ହେଉଛନ୍ତି ଶ୍ରୀଜଗନ୍ନାଥ। ତାଙ୍କ ପୂଜାରେ ତୁଳସୀ, ମସ୍ତକରେ ତୁଳସୀ, ଆଉ ମହାପ୍ରସାଦରେ ବି ତୁଳସୀ। ତୁଳସୀ ପଡ଼ିଲେ ହିଁ ଭୋଗ ପାଲଟେ ମହାପ୍ରସାଦ। ତୁଳସୀପ୍ରିୟ ଠାକୁର ସେ। ସେଇଥିପାଇଁ ତ ମହାପ୍ରଭୁଙ୍କ ଟାହିଆ, ଟୋପର, ଗୁଣା, ନାକଚଣା ସମେତ ପ୍ରତିଟି ପୁଷ୍ପାଳାଙ୍କାରରେ ତୁଳସୀ ବ୍ୟବହୃତ ହୋଇଥାଏ।
ଠାକୁରଙ୍କର ଛଡ଼ାତୁଳସୀ ଟିକେ ପାଇଗଲେ ଭକ୍ତର ମନ ପୂରିଉଠେ। ତୁଳସୀରେ ପୂଜା, ତୁଳସୀରେ ଉପଚାର, ତୁଳସୀରେ ଆଜ୍ଞା ଓ ତୁଳସୀରେ ଅନୁରାଗ। ପ୍ରଭୁଙ୍କର ଏମିତି କୌଣସି ନୀତି ନାହିଁ, ଯେଉଁଠି ତୁଳସୀ ନ ଥାଏ। ଗବେଷକ ଡ. ନରେଶ ଚନ୍ଦ୍ର ଦାଶ କୁହନ୍ତି, ‘ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ତୁଳସୀ। ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରତିଦିନ ପୁଷ୍ପମଣ୍ଡିତ ସମୟରେ ଫୁଲମାଳାରେ ତୁଳସୀ ଦିଆଯାଇଥାଏ। ମହାପ୍ରଭୁ ତୁଳସୀର ମାଳ ପିନ୍ଧିବାକୁ ଭଲ ପାଆନ୍ତି। ଶ୍ରୀଅଙ୍ଗରେ ତୁଳସୀ ମଞ୍ଜରୀ ପ୍ରଦାନ କଲେ ମହାପ୍ରଭୁ ସମସ୍ତ ମନୋବାଞ୍ଛା ପୂରଣ କରିଥାଆନ୍ତି ବୋଲି ବିଶ୍ୱାସ ରହିଛି। ଏମିତି ବି କୁହାଯାଏ ଯାହା ଘରେ ତୁଳସୀ ଚଉରା ଥାଏ ସେ ଘରେ ଦୈବୀ ଦୁର୍ବିପାକ ହୋଇ ନ ଥାଏ।
ବାସ୍ତୁଦୋଷ ଦୂର କରେ ତୁଳସୀ:
ବାସ୍ତୁଶାସ୍ତ୍ର ଅନୁସାରେ ତୁଳସୀ ଗଛ ଲଗାଇଲେ ନକାରାତ୍ମକ ଉର୍ଜା ଘରଠାରୁ ଦୂରଇ ରହେ। ଆଉ ଘରେ ଶାନ୍ତିର ପରିବେଶ ସୃଷ୍ଟି ହୁଏ। ତେବେ ତୁଳସୀ ଗଛକୁ ସବୁବେଳେ ଉତ୍ତର, ଉତ୍ତର-ପୂର୍ବ କିମ୍ବା ପୂର୍ବ ଦିଗରେ ଲଗାନ୍ତୁ। ଯଦ୍ଦ୍ବାରା ଘରେ ସକାରାତ୍ମକ ଉର୍ଜା ଭରିଥାଏ। ଏହାକୁ ରୋଷେଇ ଘର ପାଖରେ ଲଗାଇଲେ ପାରିବାରିକ କଳହ କମ୍ ହୁଏ। ଘରେ ଯୁବତୀ ଝିଅର ବିବାହ ବିଳମ୍ବ ହେଉଥିଲେ ତୁଳସୀ ଗଛକୁ ଅଗ୍ନି କୋଣରେ ରଖି କନ୍ୟା ସବୁଦିନ ଜଳଦାନ କଲେ ଫଳ ଖୁବ୍ ଶୀଘ୍ର ମିଳେ। ବ୍ୟବସାୟ ଠିକ୍ରେ ଚାଲୁ ନ ଥିଲେ ତୁଳସୀଗଛକୁ ଦକ୍ଷିଣ-ପଶ୍ଚିମ ଦିଗରେ ରଖି ସବୁ ଶୁକ୍ରବାର ସକାଳେ କଞ୍ଚ ଖୀର ଚଢାଇ ମିଷ୍ଟାନ୍ନ ଭୋଗ କଲେ ସୁଫଳ ମିଳେ। ଶାସ୍ତ୍ରରେ କୁହାଯାଇଛି ଯେ, ଘରେ କୌଣସି ସମସ୍ୟା ଆସିବାକୁ ଥିଲେ ତୁଳସୀ ବୃକ୍ଷ ମରିଯାଇଥାଏ। ଘରେ ସବୁଠିକ୍ ଥିଲେ ତୁଳସୀ ବେଶ୍ ସବୁଜିମା ଭରା ହୋଇ ରହେ। ଆଉ ଶୁଖି ନ ଥାଏ।
ଏଥିପାଇଁ ତୁଳସୀ ପୂଜା ସମୟରେ ଜପ କରନ୍ତୁ ଏହି ମନ୍ତ୍ର:
”ୟନ୍ ମୂଳେ ସର୍ବ ତୀର୍ଥାନୀ ୟନ୍ ମଧ୍ୟେ ସର୍ବ ଦେବତା
ୟଦାଗ୍ରେ ସର୍ବ ବେଦାଶ୍ଚ ତୁଳସୀ ତ୍ୱଂ ନମାମ୍ୟହମ୍ ।“
ତୁଳସୀ କବଚ—-
ତୁଳସୀ ଶ୍ରୀ ମହାଦେବୀ ନମଃ ପଙ୍କଜ ଧାରିଣୀ
ଶିରୋମେ ତୁଳସୀ ପାତୁ ଭାଲଂ ପାତୁ ଯଶସ୍ବୀନୀ ।।
ଦୁର୍ଗୋ ମେ ପଦ୍ମ ନୟନା ଶ୍ରୀସଖି ଶ୍ରବଣୋମମ
ଘ୍ରାଣପାତୁ ସୁଗନ୍ଧମେ ନଖଂ ଚ ସୁମୁଖୀମମ ।।
ଅର୍ଥାତ୍—-କମଳ ପୁଷ୍ପ ଧାରଣୀ ଶ୍ରୀ ତୁଳସୀ ଦେବୀଙ୍କୁ ମୁଁ ଭକ୍ତି ପୂର୍ବକ ପ୍ରଣାମ କରୁଛି । ତୁଳସୀ ରୂପ ଧାରଣ କରି ମୋର ମୁଣ୍ତକୁ ରକ୍ଷ୍ୟା କରନ୍ତୁ । ଯଶସ୍ବିନୀ ରୂପରେ ମୋର ମସ୍ତକକୁ ରକ୍ଷ୍ୟା କରନ୍ତୁ ।ପଦ୍ମନୟନା ନାମଧାରୀ ମୋର ନୟନ ଦୁଇଟିକୁ ରକ୍ଷ୍ୟା କରନ୍ତୁ ।ଶ୍ରୀସଖି ନାମରେ କର୍ଣ୍ଣ କୁ ଗନ୍ଧମ୍ ନାମରେ ମୋର ନାସାକୁ ତଥା ସୁମୁଖୀ ନାମରେ ମୋର ମୁଖକୁ ରକ୍ଷ୍ୟା କରନ୍ତୁ ।
ଜିହ୍ବା ମେ ପାତୁ ଶୁଭଦା କଣ୍ଠ ବିଦ୍ୟାମୟୋ ମମ
ସ୍କନ୍ଧୌ କହ୍ଲାରିଣୀ ପାତୁ ହୃଦୟଂ ବିଷ୍ଣୁ ବଲ୍ଲଭା ।।
ପୂଣ୍ୟଦା ପାତୁ ମେ ମଧ୍ୟଂ ନାଭି ସୌଭାଗ୍ଯ ଦାୟିନୀ କଟି କୁଣ୍ତଳିନୀ ପାତୁ ଉରୁ ନାରଦ ବନ୍ଦିତଃ ।।
ଅର୍ଥାତ୍—ଶୁଭଦା ଭିହ୍ବାକୁ, ବିଦ୍ୟାମୟୀ କଣ୍ଠକୁ, କହ୍ଲାରିଣୀ କାନ୍ଧକୁ ,ବିଷ୍ଣୁ ବଲ୍ଲଭ ହୃଦୟକୁ, ପୂଣ୍ୟଦା ମଧ୍ୟ ଭାଗକୁ ,ସୌଭାଗ୍ଯ ଦାୟିନୀ ନାଭିକୁ ,କୁଣ୍ତଳିନୀ ଅଣ୍ଟାକୁ ଏବଂ ନାରଦ ବନ୍ଦିତା ଉରୁ ପ୍ରଦେଶ କୁ ରକ୍ଷ୍ୟା କରନ୍ତୁ ।