ଭୁବନେଶ୍ୱର- କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତିଙ୍କ ପରଲୋକ । ରାଜଧାନୀର ଏକ ଘରୋଇ ହସ୍ପିଟାଲରେ କୁଳପତି ସଞ୍ଜୟ ଶତପଥୀଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ସୂଚନା ଦେଲେ ପରିବାରବର୍ଗ । ସେ ଦୀର୍ଘ ଦିନରୁ ଅସୁସ୍ଥତା ପାଇଁ ଚିକିତ୍ସିତ ହୋଇଆସୁଥିଲେ । ସେ ୨୦୨୧ରୁ କଳାହାଣ୍ଡିର ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱରେ ଥିଲେ ।
କଳା, ସାହିତ୍ୟ, ଶିକ୍ଷା କ୍ଷେତ୍ରରେ ସେ ତାଙ୍କ ଜୀବନବ୍ୟାପୀ ସାଧନା ପାଇଁ ଦେବଗିରି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ପ୍ରଫେସର ଶତପଥୀ ଏକାଧାରରେ ଜଣେ ଶିକ୍ଷାବିତ୍, ଲେଖକ, ଘୋଷକ, ଗାୟକ, ଅଭିନେତା ଓ ଗୀତିକାର ଥିଲେ । ତାଙ୍କ ଅଧୀନରେ ୨୫ ଛାତ୍ର ପିଏଚଡି କରିଛନ୍ତି ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରୁ । ତାଙ୍କର ବହୁ ଆର୍କିକିଲ ଦେଶ ବିଦେଶର ବହୁ ଜର୍ନାଲରେ ସ୍ଥାନିତ ହୋଇଛି । ଦେଶ ବିଦେଶର ବହୁ କନଫେରେନ୍ସରେ ମଧ୍ୟ ସେ ଭାଗନେଇ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି ।
ଜଣେ ଆଙ୍କର ଭାବେ ସେ ଷ୍ଟେଜ, ରେଡିଓ, ଟିଭି କାର୍ଯ୍ୟକ୍ରମରେ ୧୦୭୧ ପର୍ଯ୍ୟନ୍ତ କାମ କରିଥିଲେ । ସେ ଅଲଇଣ୍ଡିଆ ରେଡିଓର ଜଣେ ଜଣାଶୁଣା ଗୀତିକାର ଓ ଗାୟକ ଥିଲେ । ରକ୍ତଦାନ, ମହିଳା ସଶକ୍ତିକରଣ, ଏଡ୍ସ ସଚେତନତା କାର୍ଯ୍ୟ,ସଡକ ନିରାପତା ପରି ଅନେକ ସମାଜ ସଂସ୍କାର କାର୍ଯ୍ୟରେ ଭାଗ ନେଇଆସୁଥିଲେ ।