ରାଜ୍ୟ ପୋଲିସକୁ ଅଲଟିମେଟମ, ୩୧ ମାର୍ଚ୍ଚ ସୁଦ୍ଧା ସବୁ ଥାନାରେ ଲାଗିବ CCTV, ଥାନାର ସବୁ Activity ହେବ କ୍ୟାମେରା ଆଗରେ

କଟକ– ରାଜ୍ୟ ପୋଲିସ ମହକୁମାକୁ ହାଇକୋର୍ଟଙ୍କ କଡା ତାଗିଦ, ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟର ସବୁ ଥାନା ଓ ଫାଣ୍ଡିରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଏଥିସହ ସବୁ ସିସିଟିଭି ମନିଟରିଂ ସିଷ୍ଟମ ସହ ଥାନାର ସିସିଟିଭି ନିୟନ୍ତ୍ରଣ କରିବାକୁ ଆଦେଶ ଦେଇଛନ୍ତି ହାଇକୋର୍ଟ । ଏହି ରାୟ ଭରତପୁର ଥାନାରେ ସେନା ଓ ପୋଲିସ ମଧ୍ୟରେ ହୋଇଥିବା ବିବାଦ ପରେ ଦାୟର ଜନସ୍ୱାର୍ଥ୍ୟ ମାମଲା ଉପରେ ଆସିଛି ।

ଏଥିସହ ହାଇକୋର୍ଟ କହିଛନ୍ତି, ସେନା କର୍ମଚାରୀଙ୍କୁ ଥାନାରେ କିପରି ବ୍ୟବହାର ପ୍ରଦର୍ଶନ କରାଯିବ ସେ ନେଇ ରାଜ୍ୟ ସରକାର ଜାରି କରିଥିବା ଏସଓପିକୁ କଡାକଡି ପାଳନ କରିବାକୁ କହିଛନ୍ତି । ତା ସାଙ୍ଗକୁ ସବୁ ଥାନା ଓ ଫାଣ୍ଡିର କର୍ମଚାରୀଙ୍କୁ ଏ ନେଇ ସଚେତନ କରିବାକୁ ହାଇକୋର୍ଟ ରାୟରେ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ସେପ୍ଟେମ୍ବର ୧୫ ତାରିଖ ରାତିରେ ସେନା ମେଜର ଓ ବାନ୍ଧବୀଙ୍କୁ ଭରତ ପୁର ଥାନାରେ ପୋଲିସ ମାଡ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣା ସେତେବେଳେ ଜାତୀୟସ୍ତରରେ ଆଲୋଡନ ସୃଷ୍ଟି କରିଥିଲା । ସେନା ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ଏହା ପରେ ଥାନାର ଆଇଆଇସିଙ୍କ ସମେତ ୫ ଜଣଙ୍କୁ ନିଲମ୍ବିତ କରାଯାଇଥିଲା । ମାମଲାର ଗମ୍ଭୀରତାକୁ ଦେଖି ଏହାର ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିର୍ଦ୍ଦେଶ ଦେଲେ ଓ ତଦନ୍ତ ଜାରି ରହିଛି ।