ଭାରତ ଉପରୁ ଟଳି ଗଲା ବଡ଼ ବିପତ୍ତି; ସୀମାରେ ୫ ଗିରଫ, 6 AK-47 ଏବଂ ହଜାର ହଜାର ଗୁଳି ଜବତ କଲା ପୋଲିସ
ମିଜୋରାମ ପୋଲିସ ଭାରତ-ବାଂଲାଦେଶ ସୀମା ପାଖରେ ମ୍ୟାନମାରର ବିଦ୍ରୋହୀ ଗୋଷ୍ଠୀର ଜଣେ ନେତା ଏବଂ ଅନ୍ୟ ୪ ଲୋକଙ୍କୁ ଗିରଫ କରାଯାଇଛି। ଏମାନଙ୍କ ପାଖରେ ବହୁମାତ୍ରାରେ ଅସ୍ତ୍ର ଜବତ କରାଯାଇଛି।
ନୂଆଦିଲ୍ଲୀ: ମିଜୋରାମ ପୋଲିସକୁ ଉଗ୍ରବାଦୀଙ୍କ ବିରୋଧରେ ଚଳାଇଥିବା ତଦନ୍ତରେ ବଡ଼ ସଫଳତା ମିଳିଛି। ସୂଚନା ମୁତାବକ, ପଶ୍ଚିମ ମିଜୋରାମର ମମିତ ଜିଲ୍ଲାରେ ପୋଲିସ ମିଆଁମାର ସ୍ଥିତ ଉଗ୍ରବାଦୀ ଗୋଷ୍ଠୀ ଚୀନ ନେସନାଲ ଫ୍ରଣ୍ଟର ଜଣେ ସଦସ୍ୟଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି।
ଏହି ଅଭିଯୁକ୍ତଙ୍କ ପାଖରୁ ଯେତିକି ଅସ୍ତ୍ର-ଶସ୍ତ୍ର ମିଳିଛି, ସେଥିରୁ ସ୍ପଷ୍ଟ ହେଉଛି ଯେ, କେତେ ବଡ଼ ଷଡ଼ଯନ୍ତ୍ର କରାଯାଇଥିଲା। ଭାରତ-ବାଂଲାଦେଶ ସୀମାରେ ଏହି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ପୋଲିସର ବିବୃତ୍ତି: ମିଜୋରାମ ପୋଲିସ ସୂଚନା ଜାରି କରିଛି ଯେ, ସେମାନେ ସହଯୋଗୀ ଗୁପ୍ତଚର ସଂସ୍ଥାଙ୍କ ସହ ମିଶି ଅନେକ ମାତ୍ରାରେ ଅସ୍ତ୍ରଶସ୍ତ୍ର ଏବଂ ଗୋଳା-ବାରୁଦ ଜବତ କରିଛନ୍ତି। ମିଜୋରାମରେ ଏପର୍ଯ୍ୟନ୍ତ ଜବତ ହୋଇଥିବା ଅସ୍ତ୍ରଶସ୍ତ୍ର ମଧ୍ୟରେ ସବୁଠୁ ଅଧିକ ବୋଲି ପୋଲିସ କହିଛି।
କେଉଁ ଅସ୍ତ୍ରଶସ୍ତ୍ର ମିଳିଛି: ମିଜୋରାମ ପୋଲିସ ଧରିଥିବା ଅଭିଯୁକ୍ତଙ୍କ ପାଖରୁ ବହୁମାତ୍ରାରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଭାରତ-ବାଂଲାଦେଶ ସୀମା ନିକଟରେ ଧରାପଡିଥିବା ଏହି ୫ ଜଣଙ୍କ ପାଖରୁ 6 AK-47 ରାଫଲ, ୧୦,୦୫୦ କାର୍ଟିଜ୍ ଏବଂ ୧୩ଟି ମାଗାଜିନ୍ ବନ୍ଧୁକ ଜବତ କରାଯାଇଛି।