୮ମ ସେଣ୍ଟ୍ରାଲ ପେ’ କମିଶନକୁ ମଞ୍ଜୁରୀ ଦେଲେ ପ୍ରଧାନମନ୍ତ୍ରୀ: ଉପକୃତ ହେବେ ସରକାରୀ କର୍ମଚାରୀ

ସରକାରୀ କର୍ମଚାରୀଙ୍କ ପାଇଁ ବଡ ଉପହାର। ଅଷ୍ଟମ ବେତନ କମିଶନକୁ କ୍ୟାବିନେଟ ଅନୁମୋଦନ। ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ସମସ୍ତ ରାଜ୍ୟ ସରକାର ଓ PSU ସହ ଆଲୋଚନା ପରେ ମଞ୍ଜୁରୀ।

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସରକାରୀ କର୍ମଚାରୀଙ୍କୁ ଏକ ବଡ଼ ଉପହାର ଦେଇଥିବା ବେଳେ ଅଷ୍ଟମ ବେତନ ଆୟୋଗକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି।

ଅଷ୍ଟମ ବେତନ କମିଶନକୁ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀମାନେ ଉତ୍ସୁକତାର ସହ ଅପେକ୍ଷା କରିଥିବା ବେଳେ ସରକାର ସେମାନଙ୍କୁ ଏହି ଉପହାର ଦେଇଛନ୍ତି।

ଏଥିପାଇଁ ଖୁବ୍ ଶୀଘ୍ର ଏକ କମିଟି ଗଠନ କରାଯିବା ସହ ଅଷ୍ଟମ ବେତନ ଆୟୋଗ ଗଠନ ପ୍ରକ୍ରିୟା ଆରମ୍ଭ ହେବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ କେନ୍ଦ୍ର କ୍ୟାବିନେଟ ବୈଠକ ବସିଥିଲା ଏବଂ ଏଥିପାଇଁ ଅନୁମୋଦନ ମିଳିଛି ।

ଦୀର୍ଘ ଦିନର ଦାବି ଅଷ୍ଟମ ବେତନ କମିଶନ ଗଠନ ଦାବିରେ କେନ୍ଦ୍ରୀୟ କର୍ମଚାରୀ ସଂଗଠନ କ୍ୟାବିନେଟ୍ ସଚିବଙ୍କୁ ଭେଟିଥିଲେ ଏବଂ ଏହି ସଂଗଠନଗୁଡ଼ିକ ଅଷ୍ଟମ ବେତନ କମିଶନ ଗଠନ ପାଇଁ ସରକାରଙ୍କ ଉପରେ ଲଗାତାର ଚାପ ପକାଉଛନ୍ତି।

୨୦୧୬ ଜାନୁଆରି ପହିଲାରୁ ସପ୍ତମ ବେତନ କମିଶନ ଲାଗୁ ହୋଇଥିଲା। ଏହା ଦ୍ୱାରା ଦେଶର ପାଖାପାଖି ୧୦ ନିୟୁତ ଲୋକ ଉପକୃତ ହୋଇଥିଲେ ।

ପ୍ରତି ୧୦ ବର୍ଷରେ ବେତନ କମିଶନ ଲାଗୁ ହେଉଥିବାରୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ୨୦୨୬ ଜାନୁଆରୀ ପହିଲାରୁ ଅଷ୍ଟମ ବେତନ କମିଶନ ଲାଗୁ କରିବେ ବୋଲି ଆଶା କରାଯାଉଛି ।

ଏହା ଦ୍ୱାରା ସର୍ବନିମ୍ନ ମଜୁରି ଏବଂ ପେନସନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି ।

ଶେଷ କମିଶନ କେବେ ଗଠିତ ହୋଇଥିଲା?: ୨୦୧୪ ଫେବ୍ରୁଆରି ୨୮ ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ କାର୍ଯ୍ୟକାଳ ସମୟରେ ସପ୍ତମ ବେତନ ଆୟୋଗ ଗଠନ କରାଯାଇଥିଲା।

ପ୍ରାୟ ଦେଢ଼ ବର୍ଷ ପରେ ୨୦୧୫ ନଭେମ୍ବରରେ ସପ୍ତମ ବେତନ କମିଶନ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ। ପରବର୍ତ୍ତୀ ସମୟରେ ୨୦୧୬ ଜାନୁଆରି ପହିଲାରୁ ସପ୍ତମ ବେତନ କମିଶନଙ୍କ ସୁପାରିସ କାର୍ଯ୍ୟକାରୀ ହୋଇଥିଲା ଏବଂ ଏବେ ବି ବଳବତ୍ତର ରହିଛି।