୨ଟା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଥର୍ମନ୍ ଶନ୍ମୁଗରତ୍ନମ, ଓଡ଼ିଶା ସରକାରଙ୍କ ସହିତ ହେବ ୮ ଚୁକ୍ତି ସ୍ୱାକ୍ଷର

ରାତି ୯ଟା ପର୍ଯ୍ୟନ୍ତ ରହିବ ଟ୍ରାଫିକ୍ କଟକଣା । କାଲି ପୁରୀ ରଘୁରାଜପୁର ଗାଁ ଯିବେ ସିଙ୍ଗାପୁର ରାଷ୍ଟ୍ରପତି ।

ଭୁବନେଶ୍ୱର: ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ ଆସୁଛନ୍ତି ଓଡ଼ିଶା । ଏ ଖବର ପ୍ରକାଶ ପାଇବା ପରେ ରାଜ୍ୟରେ ପୁଞ୍ଜିନିବେଶ ଆଶା ବଢ଼ିଯାଇଛି । ସେମିକଣ୍ଡକ୍ଟର ଏବଂ କ୍ରିଟିକାଲ ମିନେରାଲକୁ ନେଇ ରାଜ୍ୟ ସରକାରଙ୍କ ସହ ୮ଟି ଚୁକ୍ତି ସ୍ୱାକ୍ଷର ହେବା ନେଇ ଖବର ପ୍ରକାଶ ପାଇଛି ।

ଆଜି ସକାଳ ୧୦ଟା ୫୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ ଥର୍ମନ । ଏହାପରେ ୨ଟାବେଳେ ମୁଖ୍ୟମନ୍ତ୍ରୀ ମୋହନଙ୍କୁ ଭେଟ କରିବାର କାର୍ଯ୍ୟକ୍ରମ ରହିଛି ।

ଡୁମଡୁମା ୱେଲକମ୍ ହୋଟେଲରେ ରହିବେ ଥର୍ମନ୍ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିସାରି ମଞ୍ଚେଶ୍ୱରରେ ଥିବା ୱାଲ୍ଡ ଷ୍ଟିଲ୍ ସେଣ୍ଟର ପରିଦର୍ଶନ କରିବେ । ୩ଟା ୨୦ ପର୍ଯ୍ୟନ୍ତ ରାସ୍ତାରେ କଟକଣା ରହିବ ।

ଏହାପରେ ସନ୍ଧ୍ୟା ୭ଟା ୧୫ରେ ଖଣ୍ଡଗିରି, ଜାଗମରା ବାଟେ କଳାଭୂମି ଯିବେ । ୮ଟା ୫୦ ପର୍ଯ୍ୟନ୍ତ ସେଠାରେ ରହିବେ । ଭୁବନେଶ୍ୱରରେ ପୂର୍ବାହ୍ଣ ସାଢ଼େ ୧୦ଟାରୁ ରାତି ୯ ଟା ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା ରହିବ ବୋଲି କହିଛନ୍ତି ଡିଜିପି ୱାଇ.ବି ଖୁରାନା ।

ଆସନ୍ତା କାଲି ପୁରୀ ଜିଲ୍ଲା ରଘୁରାଜପୁର ଯିବେ । ଏଠାରୁ ଆଇଓସିଏଲ୍ ବ୍ୟାଖ୍ୟାନ କେନ୍ଦ୍ର ଓ କୋଣାର୍କ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ।

ଗତକାଲି ଥର୍ମନ୍ ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି, ରାଷ୍ଟ୍ରପତି ଭବନ ପରିଦର୍ଶନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଥର୍ମନଙ୍କୁ ସାକ୍ଷାତ୍ କରିଥିଲେ ।