ଟିପରକୁ ଧକ୍କା ଦେଇ ଡିଭାଇଡରରେ ପିଟିହେଲା ଯାତ୍ରୀବାହୀ ବସ୍, 4 ଯାତ୍ରୀଙ୍କ ମୃତ୍ୟୁ
ତିରୁପତିରୁ ମଦୁରାଇ ଅଭିମୁଖେ ଯାଉଥିବା ବସ୍ ଦୁର୍ଘଟଣା । ଟିପର ସହ ଧକ୍କା ହୋଇ 4 ଯାତ୍ରୀଙ୍କ ମୃତ୍ୟୁ ।
ନୂଆଦିଲ୍ଲୀ: ସକାଳୁ ସକାଳୁ ଭୟଙ୍କର ସଡ଼କ ଦୁର୍ଘଟଣା । ଆନ୍ଧ୍ରପ୍ରଦେଶର ଚିତୋର ଜିଲ୍ଲାରେ ଏକ ଟିପରକୁ ଧକ୍କା ଦେଇଛି ଯାତ୍ରୀବାହୀ ବସ୍ ।
4ଯାତ୍ରୀଙ୍କର ମୃତ୍ୟୁ- ଏହି ଦୁର୍ଘଟଣାରେ 4ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 13ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଟିପରକୁ ଧକ୍କା ଦେଲା ବସ୍- ଆଜି ସକାଳୁ ଆନ୍ଧ୍ରପ୍ରଦେଶର ଚିତ୍ତୋରର ଗଙ୍ଗାସଗାରାମ ନିକଟରେ ଏହି ଦୁର୍ଘଟଣା ହୋଇଛି । ବସଟି ତିରୁପତିରୁ ମଦୁରାଇ ଅଭିମୁଖେ ଯାଉଥିଲା । ଏହି ସମୟରେ ବସଟି ଭାରସାମ୍ୟ ହରାଇ ଏକ ଟିପରକୁ ଧକ୍କା ଦେଇଥିଲା ।
ଏହାପରେ ବସଟି 20 ଫୁଟ ଖସି ଏକ ଇଲେକ୍ଟ୍ରିକ ପୋଲକୁ ଯାଇ ଧକ୍କା ଦେଇଥିଲା । ଫଳରେ ଖୁଣ୍ଟଟି ବସ ଉପରେ ପଡିବା କାରଣରୁ ଯାତ୍ରୀମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି ।
ତେବେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲା । ଆହତ ଯାତ୍ରୀମାନଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।