ବଦଳିବ ଧର୍ମଶାଳାର ଚିତ୍ର; ଡଙ୍କାରୀରେ ନିର୍ମିତ ହେବ ଏସିଆ ମହାଦେଶର ସର୍ବବୃହତ ତୈଳ ପ୍ରକଳ୍ପ

ଭୁବନେଶ୍ୱର: ଯାଜପୁର ଜିଲ୍ଲା ଧର୍ମଶାଳାର ଡଙ୍କାରୀ ଠାରେ ଏସିଆ ମହାଦେଶର ସର୍ବବୃହତ ତୈଳ ପ୍ରକଳ୍ପ ପାଇଁ IOCLର ସମ୍ପାଦକଙ୍କ ସହ ସମ୍ପୂର୍ଣ୍ଣ ଭାବେ ଆଲୋଚନା କରିଥିଲେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ।

ଏହା ବ୍ୟତୀତ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ପ୍ରକଳ୍ପ ପାଇଁ ସମସ୍ତ ପ୍ରକାରର ଚୁକ୍ତିନାମା ମଧ୍ୟ ସ୍ୱାକ୍ଷରିତ ହୋଇଥିଲା ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ଧର୍ମଶାଳାବାସୀଙ୍କ ତରଫରୁ ହିମାଂଶୁ କୃତଜ୍ଞତା ଓ ଧନ୍ୟବାଦ ମଧ୍ୟ ପ୍ରଦାନ କରିଛନ୍ତି ।

ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି ୨ ଦିନିଆ ଶିଳ୍ପ ମହାକୁମ୍ଭ ‘ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା’ କନକ୍ଲେଭ୍ । ଚଳିତଥର ଏହା ଯୁଗାନ୍ତକାରୀ ଓ ଐତିହାସିକ ହେବ ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବହୁ ନିବେଶକମାନେ ଓଡ଼ିଶାରେ ପୁଞ୍ଜିନିବେଶ କରିବେ । ଫଳରେ ଓଡ଼ିଶା ଏକ ବିକଶିତ ରାଜ୍ୟରେ ପରିଣତ ହେବା ଦିଗରେ ପାଦେ ଅଗେଇବ ।

ରାଜ୍ୟ ସରକାର ଏବଂ ISPRL(Indian Strategic Petroleum Reserves Limited) ମଧ୍ୟରେ ଏକ MoU ସ୍ୱାକ୍ଷରିତ ହୋଇଛି ।

ପ୍ରାୟ ୪ ହଜାର ମିଲିୟନ ମେଟ୍ରିକ୍ ଟନ୍ କ୍ଷମତାର ପ୍ରକଳ୍ପ ହେବ । ପ୍ରାଥମିକ ପର୍ଯ୍ୟାୟରେ ମୋଟ୍ ୮,୭୪୩ କୋଟି ନିବେଶ ହେବ ।

ତେବେ ଚଳିତ ବର୍ଷ ଜୁଲାଇ ପୂର୍ବରୁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ନେଇ ସମ୍ଭାବନା ରହିଛି ।