ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ତ୍ରିରଙ୍ଗା ଉଡ଼ାଇବେ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍

ନୂଆଦିଲ୍ଲୀ: ଭାରତର ମହାକାଶ କ୍ଷେତ୍ରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ଯୋଡ଼ି ହୋଇଛି। ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ଶୁଭାଶୁ ଶୁକ୍ଳା ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)ରେ ପହଞ୍ଚିବାକୁ ଯାଉଛନ୍ତି।

ନାସା ଓ ଇସ୍ରୋର ମିଳିତ ଅଭିଯାନ ଅଧୀନରେ ଶୁଭାଶୁ ଶୁକ୍ଳା ଆକ୍ସିୟମ୍ ମିଶନ-୪ର ଅଂଶ ବିଶେଷ ଭାବେ ଆଇଏସ୍ଏସ୍ ଯାତ୍ରା କରିବେ। ୨୦୨୫ରେ ଫ୍ଲୋରିଡାର କେନେଡି ସ୍ପେସ୍ ସେଣ୍ଟରରୁ ସ୍ପେସ୍ ଏକ୍ସ ଡ୍ରାଗନ୍ ମହାକାଶଯାନ ଜରିଆରେ ଏହି ଅଭିଯାନର ଉତକ୍ଷେପଣ କରାଯିବ।

ମହାକାଶ ଅଭିଯାନ ଇତିହାସରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ତେବେ ଏହି ମିଶନର ଅର୍ଥ କ’ଣ ଏବଂ ଶୁଭଶୁ ଶୁକ୍ଲା କିଏ ତାହା ମଧ୍ୟ ବୁଝିବା ଜରୁରୀ ।

ଗ୍ରୁପ୍ କ୍ୟାପଟେନ୍ ଶୁଭାଶୁ ଶୁକ୍ଳା ୧୯୮୫ ମସିହା ଅକ୍ଟୋବର ୧୦ ତାରିଖରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଜନ୍ମଗ୍ରହଣ କରିଥିଲେ। ୨୦୦୬ରେ ସେ ଭାରତୀୟ ବାୟୁସେନାର ଲଢୁଆ ଶାଖାରେ ଯୋଗ ଦେଇଥିଲେ।

ସେ ଜଣେ ଅଭିଜ୍ଞ ପରୀକ୍ଷଣ ପାଇଲଟ ଏବଂ ତାଙ୍କର ୨,୦୦୦ରୁ ଅଧିକ ଉଡ଼ାଣ ଘଣ୍ଟା ରହିଛି। ସେ ଏସ୍ୟୁ-୩୦ ଏମ୍କେଆଇ, ମିଗ୍-୨୧, ମିଗ୍-୨୯, ଜାଗୁଆର, ହକ୍, ଡୋନିୟର ଏବଂ ଏଏନ୍-୩୨ ଭଳି ବିଭିନ୍ନ ପ୍ରକାରଯୁଦ୍ଧ ଓ ପରିବହନ ବିମାନ ଉଡ଼ାଇଛନ୍ତି।

ମାର୍ଚ୍ଚ ୨୦୨୪ରେ ତାଙ୍କୁ ଗ୍ରୁପ୍ କ୍ୟାପଟେନ୍ ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା। ଏହାବ୍ୟତୀତ ଶୁଭାଶୁ ଶୁକ୍ଳାଙ୍କୁ ଭାରତର ମହତ୍ୱାକାଂକ୍ଷୀ ମାନବ ମହାକାଶ ଅଭିଯାନ ଗଗନଯାନ ପାଇଁ ମହାକାଶଚାରୀ ଭାବେ ମନୋନୀତ କରାଯାଇଛି।

ମହାକାଶ ଆକ୍ସିୟମ୍ ମିଶନ-୪ରେ ଭାରତର ଏହି ନୂତନ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ପୃଥିବୀର ନିମ୍ନ କକ୍ଷପଥରେ ଗବେଷଣା ଓ ପରୀକ୍ଷଣକୁ ପ୍ରୋତ୍ସାହିତ କରିବା।

ଏହି ଅଭିଯାନ ନାସା ଏବଂ ଇସ୍ରୋ ମଧ୍ୟରେ ସହଯୋଗକୁ ଆହୁରି ସୁଦୃଢ଼ କରିବ ଏବଂ ଭାରତକୁ ଅନ୍ତର୍ଜାତୀୟ ମହାକାଶ ଅଭିଯାନରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାର ସୁଯୋଗ ପ୍ରଦାନ କରିବ।

ଏହି ଅଭିଯାନ ସହ ଶୁବଂଶୁ ଶୁକ୍ଳା ପ୍ରଥମ ଭାରତୀୟ ଭାବେ ମହାକାଶରେ ବ୍ୟକ୍ତିଗତ ଭାବେ ଯାତ୍ରା କରିବେ। ଏହି ପଦକ୍ଷେପ ଭବିଷ୍ୟତରେ ମହାକାଶରେ ବାଣିଜ୍ୟିକ ଏବଂ ବୈଜ୍ଞାନିକ ଅଭିଯାନ ପାଇଁ ନୂତନ ଦ୍ୱାର ଖୋଲିବ ।