ଐର ଖାରବେଳ ମହୋତ୍ସବ ନେଇ ଜୋର ଧରିଲା ରାଜନୀତି: ଏପରି ଭାବରେ କଥା କଟାକଟି ହେଲେ ଶାସକ-ବିରୋଧୀ

ଐର ଖାରବେଳ ମହୋତ୍ସବ ନେଇ ଭୁବନେଶ୍ୱରରେ ରାଜନୀତି.....ଏକାମ୍ର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା VS ଏକାମ୍ର ବିଧାୟକ ବାବୁ ସିଂ

ଭୁବନେଶ୍ୱର: ଆରମ୍ଭ ହୋଇଯାଇଛି ଅନ୍ତର୍ଜାତୀୟ ‘ଐର ଖାରବେଳ ମହୋତ୍ସବ’, ଯେଉଁଥିରେ ଓଡ଼ିଶାର ବିଭିନ୍ନ କଳା ସହ ନୃତ୍ୟ ଗୀତର ନିଦର୍ଶନ ଦେଖୁଛନ୍ତି ରାଜ୍ୟବାସୀ । ଅନ୍ୟପଟେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ଏକାମ୍ରର ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡା ଓ ଏକାମ୍ର ବିଧାୟକ ବା ଶାସକ ଦଳର ନେତା ବାବୁ ସିଂ ମୁହାଁମୁହିଁ ହୋଇଛନ୍ତି ।

ଅଶୋକ ପଣ୍ଡାଙ୍କ ମତରେ, ‘ପୂର୍ବ ବର୍ଷ ପରି ଭୁବନେଶ୍ୱର ସାଂସକୃତିକ ପରିଷଦ ପକ୍ଷରୁ ଖଣ୍ଡଗିରି ତଳେ କାର୍ଯ୍ୟକ୍ରମ କରୁଥିଲୁ । ଫେବୃଆରୀ ୫,୬ ଓ ୭ ରେ କରିବୁ ବୋଲି ଗତ ଜାନୁଆରୀ ୩ ରେ ଓଟିଡିସି ପାଖରେ ଅନୁମତି ମାଗିଥିଲୁ । ମାସେ ପରେ ମେଲ କଲେ ଯେ ଅନୁମତି ନାହିଁ । କାରଣ ଦର୍ଶାଇଲେ ଯେ ଆମ୍ବୁଲାନ୍ସ, ଅଗ୍ନିଶମ ସ୍ଥଳ ଖୋଲିଛି । ହେଲେ ଅନ୍ୟ ସଂସ୍ଥା ଅନୁମତି ମାଗିଥିବା ଆମକୁ ଅବଗତ କରାଯାଇ ନଥିଲା । ପର୍ଯ୍ୟଟନ ବିଭାଗ ରିଜେକ୍ଟ୍ସନ ଲେଟର ବି ଦେଖାଇ ନଥିଲେ ।’

ଏହା ସହ ସେ ପୁଣି କହିଛନ୍ତି ଯେ, ‘ବିଏମସି କମିସନର ଓ ପର୍ଯ୍ୟଟନ ନିର୍ଦ୍ଦେଶକଙ୍କୁ ବି ଭେଟିଲୁ । ହେଲେ ଆମେ ଠେଙ୍ଗାରେ ପ୍ରତିବାଦ କରିବିନୁ । ରାଜ୍ୟର ଆଇନର ଶାସନ ଅଛି । ଆମେ ପ୍ରତିବାଦ ସ୍ୱରୂପ ଆସନ୍ତାକାଲି ଖଣ୍ଡଗିରି ପାଖ ସାଇ ଗାର୍ଡେନ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବୁ । ଏଥିରେ ସଂସ୍କୃତି ପ୍ରେମୀ ଓ ମାନ୍ୟ ବ୍ୟକ୍ତି ଯୋଗ ଦେବେ । ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଆମେ ପ୍ରତିବାଦ କରିବୁ । ରାଜ୍ୟ ସରକାରଙ୍କ ପକ୍ଷପାତିତା ଯେଉଁଠି ସରକାରୀ ଆଦେଶନାମକୁ ଫୁ କରାଗଲା, ସେଠି ବିଚାର କରନ୍ତୁ କି ଆଇନର ଶାସନ ଚାଲିଛି ।’

ଅନ୍ୟପଟେ ଶାସକ ଦଳର ନେତା ବାବୁ ସିଂ କହିଛନ୍ତି ଯେ, ‘ଯଦି ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଚାହିଁବେ ଆଜି, କାଲି ୨ ଦିନ ଅଛି ମୁଁ ତାଙ୍କୁ ଅତିଥି ରୂପେ ଡାକିବାକୁ ଅନୁରୋଧ କରୁଛି । ସେ ଆସି ୨ ପଦ ଭାଷଣ ରଖନ୍ତୁ, ମଞ୍ଚ ତାଙ୍କୁ ସ୍ୱାଗତ କରୁଛି । ସେ ଯଦି କେଉଁଠି ଓଡ଼ିଶାର ସଂସ୍କୃତିକୁ ନେଇ ପ୍ରଚାର ପ୍ରସାର କରୁଛନ୍ତି ମତେ ଡାକନ୍ତୁ ମୁଁ ବି ଯିବି । ସେ ଯଦି ତାଙ୍କ ଆଡୁ ଇଛା କରୁଛନ୍ତି ଆସିବା ପାଇଁ ମତେ କୁହନ୍ତୁ ମୁଁ ତାଙ୍କୁ ଫୁଲ ମାଲ ଧରି ସ୍ୱାଗତ କରିବି ।’
ନିର୍ବାଚନ ସମୟରେ ଆମେ ଦୁଇ ଦଳ, କିନ୍ତୁ ପରେ ଆମେ ସାମୂହିକ କାର୍ଯ୍ୟକ୍ରମ ଲୋକଙ୍କ ପାଇଁ ଏକାଠି ହୋଇ କାମ କରିବା ଉଚିତ ବୋଲି ବାବୁ ସିଂ କହିଛନ୍ତି ।

ଇାବୁଙ୍କ ମତରେ, ମହୋତ୍ସବକୁ ନେଇ ପ୍ରତିଯୋଗିତା ହେଉ ନାହିଁ । ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାକୁ ଅଧିକ ପ୍ରଚାର ପ୍ରସାର କଲେ ଭଲ । ଦଳ ମତ ନିର୍ବିଶେଷରେ ବିଜେଡି ଓ ସମସ୍ତ କର୍ମୀ ମଧ୍ୟ ଆଗେଇ ଆସି ପ୍ରଚାର କରନ୍ତୁ । ଏହି ମହୋତ୍ସବ ପ୍ରଥମ ଥର ଆରମ୍ଭ ହେଲା ।

ସେମାନେ ଯଦି ଚଂହୁଛନ୍ତି ୮,୯,୧୦ରେ କାର୍ଯ୍ୟକ୍ରମ କରନ୍ତୁ । ଅସୁବିଧା କେଉଁଠି । ଯଦି ଓଡ଼ିଶାର ସଂସ୍କୃତିର ପ୍ରଚାର ହେବ ଭଲ କଥା । ଏ ବିଗତ ସରକାର ନୁହେଁ ଯେ କାହା ପାଟି ଜୋର ଜବରଦସ୍ତ ବନ୍ଦ କରିବ । ଆମେ ଆମ ସଂସ୍କୃତିକୁ ଭଲ ପାଉଛୁ । ଯେଉଁମାନେ ସଂସ୍କୃତିକୁ ବିରୋଧ କରୁଛନ୍ତି ସେମାନେ ଅର୍ଥାତ ଅଶୋକ ପଣ୍ଡା ତାଙ୍କୁ ବିରୋଧ କରନ୍ତୁ ବୋଲି ବାବୁ ସିଂ କହିଛନ୍ତି ।