Breaking: ୬ ହଜାର ୩୯୦ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, କେଉଁଁ ବିଭାଗରେ ସର୍ବାଧିକ ଜାଣନ୍ତୁ

ରାଜ୍ୟ ସରକାରଙ୍କ ପ୍ରମୁଖ ୯ ବିଭାଗ ପାଇଁ ନିଯୁକ୍ତିପତ୍ର ବଣ୍ଟନ । ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ଲକ୍ଷ୍ୟ କହିଲେ ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ କରକମଳରୁ ନିଯୁକ୍ତିପତ୍ର ଗ୍ରହଣ କରିଛନ୍ତି ନବନିଯୁକ୍ତ ଅକାରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ । ରାଜ୍ୟ ସରକାରଙ୍କର ୯ ଟି ବିଭାଗର ୬ ହଜାର ୩୯୦ ଜଣଙ୍କୁ ମିଳିଛି ନିଯୁକ୍ତି ପତ୍ର।

ଏହା ଆଧୁନିକ ଓଡିଶା ଇତିହାସର ଏକ ସ୍ମରଣୀୟ ଦିନ ହୋଇ ରହିବ । ୨୦୩୬ ସୁଦ୍ଧା ଓଡିଶାକୁ ଏକ ୫୦୦ ବିଲିଅନ୍‌ ଡଲାର ଅର୍ଥନୀତି ଏବଂ ୨୦୪୭ ସୁଦ୍ଧା ଭାରତକୁ ୧.୫ ଟ୍ରିଲିଅନ୍ ଡଲାର ଅର୍ଥନୀତିରେ ପରିଣତ କରିବାର ସଂକଳ୍ପ ରାଜ୍ୟ ଓ କେନ୍ଦ୍ର ସରକାର ନେଇଛନ୍ତି । ଯାହା ରାଜ୍ୟର ପ୍ରଗତିରେ ଏକ ମାଇଲଖୁଣ୍ଟ ହୋଇ ରହିବ ।

କେଉଁ କେଉଁ ବିଭାଗରେ ମିଳିଲା ନିଯୁକ୍ତିପତ୍ର: ଭୁବନେଶ୍ଵରସ୍ଥିତ କ୍ୟାପିଟାଲ ହାଇସ୍କୁଲ, ୟୁନିଟ-୩ ପଡ଼ିଆଠାରେ ନିଯୁକ୍ତି ମେଳାରେ ଓଡ଼ିଶା ସରକାରଙ୍କ ପ୍ରମୁଖ ୯ ଟି ବିଭାଗ ଯଥା- ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ, ଅର୍ଥ ବିଭାଗ, ଜଳ ସମ୍ପଦ ବିଭାଗ, ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସର୍ବମୋଟ୍ ୬ ହଜାର ୩୯୦ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ:- ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମୋଟ୍ ୨ ହଜାର ୮୭୮ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ଯେଉଁଥିରେ ୧୧୦ ଜଣ ଆୟୁର୍ବେଦିକ ଚିକିତ୍ସକ, ୧୦ ଜଣ ହୋମିଓପାଥ୍ ଅଧ୍ୟାପକ-ଅଧ୍ୟାପିକା, ଆୟୁଷ ନିର୍ଦ୍ଦେଶାଳୟରେ ୫ ଜଣ କନିଷ୍ଠ ସହାୟକ ଏବଂ ୨ ହଜାର ୭୫୩ ଜଣ ବହୁମୁଖୀ ମହିଳା ସ୍ବାସ୍ଥ୍ୟକର୍ମୀ ସାମିଲ ଅଛନ୍ତି।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ:- ସେହପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମୋଟ୍ ୨ ହଜାର ୭୬୭ ଜଣଙ୍କୁ ନିଯୁକ୍ତପତ୍ର ପ୍ରଦାନ କରାଯାଇଛି। ଯେଉଁଥିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ନିମନ୍ତେ ୮୯୪ ଜଣ ଅଧ୍ଯକ୍ଷ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀ, ପୂର୍ଣ ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚ ବିଦ୍ୟାଳୟର ୧ ହଜାର ୭୯୮ ଜଣ ଶିକ୍ଷକ-ଶିକ୍ଷୟିତ୍ରୀ, ଉଚ୍ଚ ମାଧ୍ଯମିକ ଶିକ୍ଷା ପରିଷଦର ୨୮ ଜଣ କନିଷ୍ଠ ସହାୟକ, ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ୨୭ ଜଣ କନିଷ୍ଠ ସହାୟକ, ମାଧ୍ୟମିକ ଶିକ୍ଷା ପରିଷଦର ୧୮ ଜଣ କନିଷ୍ଠ ସହାୟକ ଓ ଉଚ୍ଚ ମାଧ୍ଯମିକ ଶିକ୍ଷା ନିର୍ଦ୍ଦେଶାଳୟର ଅଧୁନରେ ୨ ଜଣ ସମୀକ୍ଷକ ସାମିଲ ରହିଛନ୍ତି।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ:- ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧିନରେ ମୋଟ୍ ୬୨ ଜଣ ଅଧିକାରୀଙ୍କୁ ନିଯୁକ୍ତିପତ୍ର କରାଯାଇଛି। ବିଭାଗର କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ପୌରପାଳିକାମାନଙ୍କରେ ନୂତନ ଭାବେ ନିଯୁକ୍ତ ୩୪ ଜଣ ହିସାବରକ୍ଷକ ଓ ଟାଉନ ପ୍ଲାନିଂ ନିର୍ଦ୍ଦେଶାଳୟରେ ନିଯୁକ୍ତ ହୋଇଥିବା ବେଳେ ମୋଟ ୨୮ ଜଣ କନିଷ୍ଠ ସହାୟକ, କନିଷ୍ଠ ହିସାବରକ୍ଷକ ଓ ଅମିନ୍ ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ:-
ସେହିପରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ୧୦୪ ଜଣ ନବନିଯୁକ୍ତ କଲ୍ୟାଣ ସମ୍ପ୍ରସାରଣ ଅଧିକାରୀ ଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।

ଜଳ ସମ୍ପଦ ବିଭାଗ:- ଜଳ ସମ୍ପଦ ବିଭାଗ ଅଧୀନରେ ୫୭ ଜଣ ଅମିନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ୩୭ ଜଣ ନବ ନିଯୁକ୍ତ ଯୋଗାଣ ନୀରିକ୍ଷକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି।

ଅର୍ଥ ବିଭାଗ:- ଅର୍ଥ ବିଭାଗ ଅଧୀନରେ ମୋଟ୍ ୧୩୦ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଯେଉଁଥିରେ ୧୧୮ ଜଣ ସ୍ଥାନୀୟ ପାଣ୍ଠୀ ସମୀକ୍ଷକ ଏବଂ ୧୨ ଜଣ ଉପଖଣ୍ଡ ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ରହିଛନ୍ତି।

ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗ:- ସେହିପରି ମତ୍ସ୍ୟ ଓ ପ୍ରାଣିସମ୍ପଦ ବିଭାଗର ଶକ୍ତି ବୃଦ୍ଧି କରି ମୋଟ୍ ୨୩୨ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ଯେଉଁଥିରେ ୨୦ ଜଣ ସହକାରୀ ମତ୍ସ୍ୟ ଅଧିକାରୀ ଏବଂ ୨୧୨ ଜଣ କନିଷ୍ଠ ବୈଷୟିକ ମତ୍ସ୍ୟ ସହାୟକ ଅଛନ୍ତି ।

ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ:- ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମୋଟ୍ ୧୨୩ ଜଣ ସହକାରୀ ତାଲିମ୍ ଅଧୁକାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି।

ନିଯୁକ୍ତି ମେଳା ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥ‌ିବା ବେଳେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ଗୃହ ନିର୍ମାଣ ଓ ନଗରଉନ୍ନୟନ ବିଭାଗ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର, ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଆଦି ଉପସ୍ଥିତ ରହିଛନ୍ତି।