ମୋଦୀଙ୍କୁ ନିମନ୍ତ୍ରଣ କଲେ ଟ୍ରମ୍ପ..ଆମେରିକାରେ ବସିବ ବୈଠକ, ବଢିବ ଦୁଇ ଦେଶର ସମ୍ପର୍କ

ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ୧୨ ତାରିଖରେ ଦୁଇ ଦିନିଆ ଗସ୍ତରେ ଯିବେ ।

ନୂଆଦିଲ୍ଲୀ: ଫ୍ରାନ୍ସ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ ଫ୍ରାନ୍ସ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଏଠାରେ AI ସମ୍ମିଳନୀର ସହ-ଅଧ୍ୟକ୍ଷତା କରିବେ, ଯେଉଁଥିରେ ଆମେରିକାର ଉପରାଷ୍ଟ୍ରପତି ଏବଂ ଚୀନର ଉପପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ରାଷ୍ଟ୍ରମୁଖ୍ୟ ଯୋଗଦେବେ ।

ପ୍ରଧାନମନ୍ତ୍ରୀ ମୋଦୀ ୧୦ ଫେବୃଆରୀ ସନ୍ଧ୍ୟାରେ ପ୍ୟାରିସରେ ପହଞ୍ଚିବେ, ଯେଉଁଠାରେ ସେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଦ୍ୱାରା ଆୟୋଜିତ ରାତ୍ରୀଭୋଜନରେ ଯୋଗଦେବେ । ଏହା ପରେ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ।

ଟ୍ରମ୍ପଙ୍କ ଶପଥ ଗ୍ରହଣ ପରେ ମୋଦୀଙ୍କ ପ୍ରଥମ ଗସ୍ତ- ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିମନ୍ତ୍ରଣ କ୍ରମେ ଫେବୃଆରୀ 12-13 ତାରିଖରେ ଆମେରିକା ଗସ୍ତରେ ଯିବେ । ଟ୍ରମ୍ପ ଦ୍ୱିତୀୟ ଥର ପାଇଁ ଶପଥ ନେବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ଗସ୍ତ ହେବ ।

ନୂତନ ପ୍ରଶାସନ କ୍ଷମତାକୁ ଆସିବାର ତିନି ସପ୍ତାହ ମଧ୍ୟରେ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମେରିକା ଗସ୍ତ ପାଇଁ ନିମନ୍ତ୍ରଣ କରାଯାଇଥିଲା । ଯାହା ଦୁଇ ଦେଶ ମଧ୍ୟରେ ଦୃଢ଼ ସମ୍ପର୍କକୁ ଦର୍ଶାଇଥାଏ ।

ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳରେ, ପ୍ରଧାନମନ୍ତ୍ରୀ ମୋଦି 2017 ଏବଂ 2019 ରେ ଆମେରିକା ଗସ୍ତ କରିଥିଲେ। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ନିକଟରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଦୂତ ଭାବରେ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ ।