ସାରା ବିଶ୍ୱରେ କୋଭିଡର ପ୍ରକୋପ ସମ୍ପୂର୍ଣ୍ଣ ଭାବରେ ସମାପ୍ତ ହୋଇନାହିଁ ଏବଂ ଏହାରି ମଧ୍ୟରେ, ଚୀନରୁ ଆଉ ଏକ ସମାନ ଭାଇରସ ଚିହ୍ନଟ ହେବା ପରେ ଆତଙ୍କ ସୃଷ୍ଟି ହୋଇଛି । ଚୀନ୍ ବୈଜ୍ଞାନିକମାନେ ଏକ ନୂତନ ବ୍ୟାଟ୍ କରୋନାଭାଇରସ୍ ଖୋଜିଛନ୍ତି, ଯାହା କରୋନାଭାଇରସ୍ ପରି ମାନବ କୋଷରେ ପ୍ରବେଶ କରେ ।
ଏହାର ନାମ HKU5-CoV-2 ଏବଂ ବୈଜ୍ଞାନିକମାନେ ଆଶଙ୍କା ପ୍ରକାଶ କରିଛନ୍ତି ଯେ ଏହି ଭାଇରସ ଭବିଷ୍ୟତରେ ମଣିଷଙ୍କ ମଧ୍ୟରେ ବ୍ୟାପିପାରେ । ଏହା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି ଯେ ବାଦୁଡ଼ିରୁ ଏହି ନୂଆ ଭାଇରସ କ’ଣ କୋଭିଡ୍ ଭଳି ମହାମାରୀ ସୃଷ୍ଟି କରିପାରିବ? ଆସନ୍ତୁ ଏହା ବିଷୟରେ ଜାଣିବା …
ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟ ରିପୋର୍ଟ କରିଛି ଯେ SARS-CoV-2 ପରି HKU5-CoV-2 ଭାଇରସର ଏକ ଫ୍ୟୁରିନ୍ କ୍ଲିଭେଜ୍ ସାଇଟ୍ ନାମକ ଏକ ବୈଶିଷ୍ଟ୍ୟ ଅଛି । ଏହା ACE2 ରିସେପ୍ଟର ପ୍ରୋଟିନ ମାଧ୍ୟମରେ ଭାଇରସକୁ ମାନବ ଶରୀରରେ ପ୍ରବେଶ କରିବାରେ ସାହାଯ୍ୟ କରେ । ACE2 ରିସେପ୍ଟର ହେଉଛି ପ୍ରୋଟିନ ଯାହା ମାଧ୍ୟମରେ SARS-CoV-2 ମଧ୍ୟ କୋଷରେ ପ୍ରବେଶ କରେ ।
ଗବେଷକମାନେ କହିଛନ୍ତି ଯେ ଏହି ସ୍ଥାନଟି ଏହି ବାଦୁଡ଼ି ଭାଇରସରେ ମଧ୍ୟ ଅଛି, ଯାହା ଏହାକୁ କୋଷଗୁଡିକରେ ପ୍ରବେଶ କରିବାର କ୍ଷମତା ଦିଏ । ତଥାପି, ଏହି ଭ୍ୟାଟ୍ ଭାଇରସ SARS-CoV-2 ପରି ସହଜରେ ମାନବ କୋଷରେ ପ୍ରବେଶ କରିପାରେ ନାହିଁ ।
ଗବେଷକମାନେ ଏହି ବାଦୁଡ଼ି ଭାଇରସ ଉପରେ ପରୀକ୍ଷଣ କରିଥିଲେ, ଯାହାରୁ ଜଣାପଡ଼ିଥିଲା ଯେ ଏହା ମାନବ କୋଷଗୁଡ଼ିକୁ ପ୍ରଭାବିତ କରେ । ଏହା ବିଶେଷକରି ସେହି କୋଷଗୁଡ଼ିକୁ ଆକ୍ରମଣ କରେ ଯେଉଁଠାରେ ACE2 ରିସେପ୍ଟରର ପରିମାଣ ଅଧିକ ଥାଏ । ବୈଜ୍ଞାନିକମାନେ ମାନବ ଅନ୍ତନଳୀ ଏବଂ ଶ୍ୱାସନଳୀ ମଡେଲରେ ଭାଇରସର ପ୍ରଭାବ ମଧ୍ୟ ପର୍ଯ୍ୟବେକ୍ଷଣ କରିଛନ୍ତି ।
ଏହା ବ୍ୟତୀତ, ଗବେଷଣାରେ କିଛି ମୋନୋକ୍ଲୋନାଲ ଆଣ୍ଟିବଡି ଏବଂ ଆଣ୍ଟିଭାଇରାଲ୍ ଔଷଧ ଚିହ୍ନଟ କରାଯାଇଥିଲା, ଯାହା ଏହି ବାଦୁଡ଼ି ଭାଇରସକୁ ଟାର୍ଗେଟ କରିପାରିବ । ଏହା ସ୍ପଷ୍ଟ କରେ ଯେ ଏହି ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ଚିକିତ୍ସା ବିକଶିତ କରାଯାଇପାରିବ ।