ଆମେରିକା ରାଷ୍ଟ୍ରପତିଙ୍କର ବଡ଼ ଆକ୍ସନ, ଏକାଥରେ ୨୦୦୦ କର୍ମଚାରୀଙ୍କୁ ଛଟେଇ
ଡୋନାଲ୍ଡ ଟ୍ରମ୍ପ ସରକାରର ବଡ଼ ନିଷ୍ପତ୍ତି । USAIDର 2 ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା ।
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଲେ ବଡ଼ ଧରଣର ଛଟେଇ । ୟୁଏସ୍ ଏଜେନ୍ସି ଫର ଇଣ୍ଟନେସନାଲ ଡେଭଲପମେଣ୍ଟ ବା ୟୁ.ଏସ.ଏ.ଆଇ.ଡିର ୨ ହଜାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ଏକ ମାମଲା ସମୟରେ ଜଣେ ଫେଡେରାଲ ବିଚାରପତି ସରକାରଙ୍କ ଯୋଜନା ଉପରେ ଅସ୍ଥାୟୀ ସ୍ଥଗିତାଦେଶ ଉଠାଇବା ପରେ ଏହି ପଦକ୍ଷେପ ନିଆଯାଇଛି ।
ନ୍ୟାୟିକ ଆଦେଶ ପରେ ନିଷ୍ପତ୍ତି- ଆମେରିକା ଜିଲ୍ଲା ବିଚାରପତି କାର୍ଲ ନିକୋଲ୍ସ ସରକାରଙ୍କ ଯୋଜନା ଉପରେ ତାଙ୍କର ଅସ୍ଥାୟୀ ସ୍ଥଗିତାଦେଶକୁ ଖାରଜ କରିଦେଇଛନ୍ତି । ଯାହା ପରେ ଟ୍ରମ୍ପ ପ୍ରଶାସନକୁ USAID କର୍ମଚାରୀମାନଙ୍କୁ ବହିଷ୍କାର କରିବା ଏବଂ ଛୁଟିରେ ପଠାଇବାର ଅଧିକାର ମିଳିଥିଲା ।
ତା’ପରେ ପ୍ରଶାସନ ଏକ ନୋଟିସ ଜାରି କରି କହିଛି ଯେ ୨୩ ଫେବୃଆରୀ, ୨୦୨୫ ରବିବାର ସୁଦ୍ଧା ମିଶନ-ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ଦାୟୀ ଏବଂ ନିଯୁକ୍ତ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ଛୁଟିରେ ପଠାଯିବ ।
ବିଦେଶୀ ସହାୟତା ଉପରେ ଆକ୍ରମଣ ଜାରି- ଏହି ପଦକ୍ଷେପକୁ ଟ୍ରମ୍ପ ପ୍ରଶାସନ ଦ୍ୱାରା USAID ଉପରେ ଆକ୍ରମଣର ଏକ ନିରନ୍ତରତା ଭାବରେ ଦେଖାଯାଉଛି । ଗତ ମାସରେ, ବିଦେଶୀ ସହାୟତାକୁ ଅବରୋଧ କରିବା ପ୍ରୟାସ ମଧ୍ୟରେ ଏଜେନ୍ସିର ୱାଶିଂଟନରେ ଥିବା ମୁଖ୍ୟାଳୟକୁ ମଧ୍ୟ ବନ୍ଦ କରିଦିଆଯାଇଥିଲା ଏବଂ ହଜାର ହଜାର ଆମେରିକୀୟ ସହାୟତା ଏବଂ ବିକାଶ କାର୍ଯ୍ୟକ୍ରମକୁ ବନ୍ଦ କରିଦିଆଯାଇଥିଲା ।