ଧର୍ମ ଅଲଗା ବୋଲି ପ୍ରେମକୁ ବିରୋଧ, ଝାଡ଼ଖଣ୍ଡରୁ ଯାଇ କେରଳରେ ବିବାହ କଲେ ପ୍ରେମୀ ଯୁଗଳ
ଦୁହିଁଙ୍କ ଧର୍ମ ଅଲଗା। ହେଲେ ପ୍ରେମ ପ୍ରାୟ ଦଶନ୍ଧିର। ହେଲେ ପରିବାର ଆପଣାଇବାକୁ ନାରାଜ। ଶେଷରେ ଫେରାର ହୋଇ ବିବାହ କଲେ। କିନ୍ତୁ ଏବେବି ଦୁହିଁଙ୍କୁ ଆସୁଛି ହତ୍ୟା ଧମକ।
ଝାଡ଼ଖଣ୍ଡ: ପ୍ରେମ ଏମିତି ଏକ ଜିନିଷ ତାହା କେତେବେଳେ କେଉଁଠି ଆଉ କାହା ସହ ବି ହୋଇଯାଇପାରେ। ନା ପ୍ରେମ ଜାତି ଗୋତ୍ର ଦେଖେ ନା ଧର୍ମ। ଏପରି ଅନେକ ଘଟଣା ଆପଣମାନେ ଦେଖିଥିବେ। କି ପରିବାର ଲୋକ ପ୍ରେମ ବିବାହକୁ ରାଜି ହୁଅନ୍ତିନି।
ଆଉ ବିଶେଷ କାରଣ ଥାଏ ଅନ୍ୟ ଜାତି ବା ଧର୍ମ। ଠିକ୍ ସେହିପରି ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ନିଜ ପ୍ରେମକୁ ବିବାହର ନାଁ ଦେବା ପାଇଁ ସେମାନଙ୍କୁ ଲଭଜିହାଦର ଶିକାର ହେବାକୁ ପଡିଛି। ତଥାପି ସେମାନେ ହାର ମାନି ନାହାନ୍ତି। ଆଉ ଦୁଇ ଧର୍ମର ରୀତିନୀତି ଅନୁସାରେ ବିବାହ କରିଛନ୍ତି। ତା ସତ୍ତ୍ୱେ ଏବେବି ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ପ୍ରେମ: ପ୍ରେମିକ, ପ୍ରେମିକାଙ୍କ ମତରେ, ପ୍ରେମର ସଂଜ୍ଞା ବଡ ବିଚିତ୍ର। ପ୍ରେମ ସୀମାହୀନ ସାଗର, ପ୍ରେମ ହୃଦୟର ସନ୍ଧ୍ୟାକାଶରେ ସୁନ୍ଦରୀ ଚାନ୍ଦିନୀଠୁ ଅଧିକ ସୁନ୍ଦର। ପ୍ରେମ ଗୋଟେ ଅଢେଇ ଅକ୍ଷରର ଅବୋଲକରା ଆବେଗ। ଯାହାକୁ ଅନୁଭବ ତ କରିହୁଏ, ହେଲେ ଦେଖି ହୁଏନି କି ଦେଖେଇ ହୁଏନି। ହଁ, ପ୍ରେମ ଆଲ୍ଲା, ପ୍ରେମ ଯୀଶୁ ଆଉ ପ୍ରେମ ହେଉଛି ସାକ୍ଷାତ ଇଶ୍ୱର।
ତେବେ ପ୍ରେମ କାହାକୁ ବି ହେଇପାରେ, କେତେବେଳେ ବିି ହେଇପାରେ, କେମିତି ବି ହେଇପାରେ। ପ୍ରେମରେ ନାୟକ ବି ପ୍ରେମ, ପ୍ରେମରେ ଖଳନାୟକ ବି ସେଇ ପ୍ରେମ। ପ୍ରେମ ସାହିତ୍ୟ ଭଳି ସରଳ ହେଇପାରେ, ପ୍ରେମ ଗଣିତଠୁ ବି ଅଧିକ ଜଟିଳ ହେଇପାରେ। ପ୍ରେମ ହିସାବ କିତାବ କରି କରାଯାଏନା, କି ପ୍ରେମରେ କାରଣା ଖୋଜାପଡେନା।
ସ୍କୁଲ ଦିନରୁ ପ୍ରେମ: ଠିକ୍ ସେହିପରି ମହମ୍ମଦ ଗାଲିବ ଏବଂ ଆଶା ଭର୍ମାଙ୍କ ପ୍ରେମ କାହାଣୀ। ଦୁହେଁ ଝାଡ଼ଖଣ୍ଡ ଚିତ୍ରପୁରର ବାସିନ୍ଦା। ଦୁହେଁ ଏକା ସାଙ୍ଗରେ ସ୍କୁଲରେ ପାଠ ପଢୁଥିଲେ। ଯଦିଓ ଦୁହିଁଙ୍କର ଧର୍ମ ଅଲଗା। ମହମ୍ମଦ ଗାଲିବ ମୁସଲମାନ ଓ ଆଶା ଭର୍ମା ହିନ୍ଦୁ।
ତଥାପି ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଆଉ ଏହି ପ୍ରେମକୁ ବିବାହର ନାଁ ଦେବାକୁ ଦୁହେଁ ପ୍ରଥମରୁ ମନସ୍ଥ କରିନେଇଥିଲେ। ହେଲେ ଏଥିରେ ଅନେକ ବାଧାବିଘ୍ନ ଦେଖାଦେଇଥିଲା। ଆଉ ଦୁହିଁଙ୍କ ଜୀବନରେ ବାଧକ ସାଜିଥିଲା ଧର୍ମ।
ପରିବାରର ବିରୋଧ: ଯେତେବେଳେ ଦୁହିଁଙ୍କର ବୟସ ବଢ଼ିବାକୁ ଲାଗିଲା। ଆଉ ବିବାହ ବୟସ ଆସି ପହଞ୍ଚିଲା। ସେତେବେଳେ ଝିଅର ଘରଲୋକ ବାହାଘର ପାଇଁ ପ୍ରସ୍ତାବ ଦେଖିଲେ। ହେଲେ ସେତେବେଳେ ଦୁହେଁ ନିଷ୍ପତ୍ତି ନେଲେ କି ପରିବାରରେ ସେମାନଙ୍କ ସମ୍ପର୍କ ବିଷୟରେ ଜଣାଇଦେବେ।
ହେଲେ ଯେତେବେଳେ ଦୁହିଁଙ୍କ ପରିବାର ସେମାନଙ୍କ ସମ୍ପର୍କ ବିଷୟରେ ଜାଣିଲେ। ସେତେବେଳେ ଏହାକୁ ଦୃଢ ବିରୋଧ କଲେ। ଏପରିକି ଦୁହିଁଙ୍କ ପରିବାର ତରଫରୁ ହତ୍ୟା ଧମକ ମଧ୍ୟ ଆସିଲା। ହେଲେ ଏ ଦୁହେଁ ନିଜ ପ୍ରେମକୁ ସଫଳ କରିବାର ନିଷ୍ପତ୍ତି ନେଇସାରିଥିଲେ ଆଉ ସେଇଆ ବି କଲେ।
କେରଳରେ ବାହାଘର: ଦୁହେଁ ଝାଡ଼ଖଣ୍ଡର ବାସିନ୍ଦା ହୋଇଥିଲେ ମଧ୍ୟ ସେମାନଙ୍କର ବାହାଘର କେରଳରେ ହେଲା। ଯେତେବେଳେ ପରିବାର ସେମାନଙ୍କ ସମ୍ପର୍କକୁ ସ୍ୱୀକୃତି ଦେଲେନାହିଁ। ଏବଂ ଆଶାଙ୍କର ବିବାହ ଅନ୍ୟତ୍ର ଠିକ୍ କରିଦେଲେ। ସେତେବେଳେ ସାଙ୍ଗମାନଙ୍କ ସହାୟତାରେ ଦୁହେଁ ଝାଡ଼ଖଣ୍ଡ ଛାଡି କେରଳ ଚାଲିଆସିଲେ।
ରୀତିନୀତିରେ ବାହାଘର: ପରେ ସେଠାରେ ପ୍ରଥମେ ଦୁହେଁ ମସଜିଦରେ ବିବାହ କଲେ। ଆଉ ପରେ ଫେବୃଆରୀ ୧୬ ତାରିଖରେ ହିନ୍ଦୁ ରୀତିନୀତି ଅନୁସାରେ ଦୁହେଁ ବିବାହ ବନ୍ଧନରେ ବାନ୍ଧିହେଲେ। ହେଲେ ଏବେଯାଏଁ ଦୁହିଁଙ୍କ ମୁଣ୍ଡ ଉପରୁ ଯାଇନି ହତ୍ୟାର ଧମକ। କାରଣ ଏବେବି ସେମାନଙ୍କ ପରିବାର ତାଙ୍କୁ ମାରି ଦେବାକୁ ଧମକ ଦେଉଛନ୍ତି।
ପିଲୋସ କମ୍ପ୍ଲେନ: ଏପରିକି ଗାଲିବ ଆଶାଙ୍କୁ ସମ୍ପୂର୍ଣ୍ଣ ସମ୍ମତି ଦେଇ ବିବାହ କରିଥିଲେ। କିନ୍ତୁ ଆଶାଙ୍କ ପରିବାର ଅପହରଣ ନେଇ ତାଙ୍କ ନାଁରେ ମିଥ୍ୟା ଅଭିଯୋଗ କରିଥିଲେ। ଝାଡ଼ଖଣ୍ଡ ପୋଲିସ ସହାୟତାରେ ଆଶାଙ୍କ ପରିବାର ଦୁହିଁଙ୍କୁ କେରଳରେ ଖୋଜାଖୋଜି କରିଥିଲେ।
ସେମାନଙ୍କ ଅନୁରୋଧକ୍ରମେ କେରଳ ପୋଲିସ ମଧ୍ୟ ଦୁହିଁଙ୍କୁ ଖୋଜିଲା। ଆଉ ଜାଣିବାକୁ ପାଇଲା ଦୁହିଁଙ୍କର ବିବାହ କରିବା ପାଇଁ ବୟସ ହୋଇସାରିଛି। ଆଉ ଦୁହେଁ ନିଜ ଇଚ୍ଛା ଅନୁସାରେ ବିବାହ କରିଛନ୍ତି। ତେଣୁ ସେମାନଙ୍କ ବୋରିଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ।
ହାଇକୋର୍ଟରେ ମାମଲା: ଏତେସବୁ ପରେ ବି ଏହି ପ୍ରେମୀ ଯୁଗଳଙ୍କୁ ଏବେ ବି ହତ୍ୟା ଧମକ ଆସୁଛି। କେତେବେଳେ ବି ସେମାନଙ୍କୁ ଅପହରଣ କରାଯାଇପାରେ ବୋଲି ସେମାନେ ଭୟରେ ରହୁଛନ୍ତି। ଏନେଇ ସମ୍ଭାବ୍ୟ ଆକ୍ରମଣକୁ ଭୟ କରୁଛନ୍ତି ଏବଂ ସୁରକ୍ଷା ପାଇଁ କେରଳ ହାଇକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି।